ମୁଁ ...ନବେ ଦଶକର ଛୁଆ
ମୁଁ ...ନବେ ଦଶକର ଛୁଆ


ନଥିଲା ତ ମୋବାଇଲ
ନଥିଲାରେ ଇଣ୍ଟରନେଟ ।
ତଥାପି ଆମେ ଖୁସି ଥିଲୁ
ଖାଇ କମଳା ଚକିଲେଟ।
ନଥିଲା ଇୟୁ ଟ୍ୟୁବ
ନଥିଲା ରଙ୍ଗୀନ ଟିଭି ।
ନଥିଲା ଏଲ:ଇ:ଡି
ତେବେ ପଢୁଥିଲୁ ଜଳାଇ ଡିବି ।
ଭଳିକି ଭଳି ଖେଳ
ଆମ ସମୟରେ ଥିଲା
ପଡ଼ିଆରେ କସରତ କରି
ଦେହ ମନ ଫୁର୍ତ୍ତି ହେଉଥିଲା।
ପଙ୍କ କାଦୁଅରେ ସରସର
ହୋଇ ମାଛ ଧରୁଥିଲୁ।
ଖରାବେଳେ ଲୁଚି ଲୁଚି
ରାଧୁକକା ବାଡ଼ି ଆମ୍ବ ଚୋରାଉଥିଲୁ।
ପିଠିରୁ ଛାଲ ଉତୁରିଛି କେତେ
ଖରାବେଳେ ନଶୋଇ ବାଟି ଖେଳିବାରୁ।
କାନମୋଡା କେତେ ଯେ ଖାଇଛୁ
ପହିଆ ଡାବୁଳ ପିଟୁ ଥିବାରୁ।
ସବୁଠୁ ପ୍ରିୟ ଚୋର ପୋଲିସ
ବୋହୁଚୋରି,କିତିକିତି ଓ କବାଡି ।
ଭାରି ମଜା ଲାଗୁଥିଲା ଖେଳିବାକୁ
ବାଘ ଛେଳି ଓ କାଚ କଉଡ଼ି।
ଘଡ଼ ଘଡି ବରଷା ଆସିଲେ
ସ୍କୁଲରୁ ଜଲଦି ଛୁଟି ହେଉଥିଲୁ।
କାନ୍ଧରେ ବସ୍ତାନି ଥୋଇ
କାଗଜ ଡଙ୍ଗା ଗାଁ ଦାଣ୍ଡେ ଭସାଉ
ଥିଲୁ।
ଢିଙ୍କିକୁଟା ଚୁଡା ଖାଉଥିଲୁ ଆମେ
ଖାଉଥିଲୁ ଅକାଣ୍ଡିଆ ଉଷୁନା ଚାଉଳ ।
ବାଡ଼ିରେ ପନିପରିବା ଯୋଗାଉ ଥିଲୁ
କାଳୀ ଗାଈ କ୍ଷୀର ଦେଉଥିଲା ଆମକୁ ବଳ।
ପରିବାର ଆମ ସମୟରେ
ଗୋଟିଏ ବିଶାଳ ବରଗଛ ପ୍ରାୟ ଥିଲା
ତିନି ପୁରୁଷ ଥିଲେ ସେଥିରେ
ଶାଖା ପ୍ରଶାଖା ମେଲି ରହୁଥିଲା।
ଯାନି ଜାତରାରେ ଯେବେ
କୁଣିଆ ମୈତ୍ର ଘରକୁ ଆସୁଥିଲେ।
ଅସରନ୍ତି ଆନନ୍ଦ ତାଙ୍କୁ ଦେଖି
ହୃଦୟରୁ ବାହାରୁ ଯେ ଥିଲା।
ବାଣ ଓ ରୋଷଣୀ ଶବଦ
ସ୍ମୃତି ମଧୁର ଥିଲା ସେତେବେଳେ।
ବର ପଟୁଆର ଗାଁକୁ ଆସିଲେ
ନିଦ ଭାଙ୍ଗିଯାଉଥିଲା ବଳେ ବଳେ।
ବନ୍ଦେ ମାତରମ ସଙ୍ଗୀତ ସକାଳୁ
ସ୍ୱାଧୀନତା ଦିବସରେ ରେଡ଼ିଓରେ ବାଜେ
ଦେଶପ୍ରେମେ ସିହିରି ଉଠୁଥିଲା ମନ
ମନେ ମନେ ମୁଁ ବୀର ଓଡ଼ିଆ ପାଇକ ସାଜେ।
ନବେ ଦଶକର ଛୁଆ ଥିଲୁ ଆମେ
ଆମ ସମୟର ଦୁନିଆ ଥିଲା ନିଆରା।
ଏବେ ସବୁ ଆଧୁନିକ ଓ କୁତ୍ରିମ
ରଙ୍ଗ-ରୂପ, ଚିତ୍ର-ଚରିତ୍ର ଖାଲି ବେସୁରା।