ମୁଁ ନାରୀଟିଏ କହୁଛି
ମୁଁ ନାରୀଟିଏ କହୁଛି
ମୁଁ ନାରୀଟିଏ କହୁଛି
କେତେବେଳେ କନ୍ୟା, ଜାୟା, ଭଗିନୀ ତ ଆଉ
କେତେବେଳେ ଜନନୀ
ଗୋଟେ ଜୀବନରେ ଏହିପରି ମୋର
ଅନେକ ଚରିତ୍ରର କାହାଣୀ ।
ପ୍ରତ୍ୟେକ ଚରିତ୍ରକୁ ନିଖୁଣ ରୂପେ ସଂପାଦନ
କରିବାରେ ବଳାଇଥାଏ ମନ
କିନ୍ତୁ ପଦେ ପଦେ ଏ ପୁରୁଷ ପ୍ରାଧାନ୍ୟ ସମାଜରେ
କେହି ନ ଚିହ୍ନେ ମୋ ଗୁଣ ।
ମୁଁ ବି ମଣିଷଟିଏ, ଅନେକ ଆଶା ଆକାଂକ୍ଷା ନେଇ
ଯାଏଁ ଶାଶୁଘରକୁ
ଜୀବନର ଅଠର, କୋଡିଏ ବର୍ଷ ଅତିକ୍ରାନ୍ତ କରି
ଯାଏ ନୂଆଁ ଏକ ପରିବେଶକୁ ।
ସମସ୍ତଙ୍କୁ ନିଜର କରିବାକୁ ଚେଷ୍ଟା କରି
ଲାଗିପଡେ ମୋର କାର୍ଯ୍ୟରେ
କିନ୍ତୁ ନିଜେ ନାରୀ ହୋଇ ଶାଶୁ ନଣନ୍ଦ
ଶୁଣାନ୍ତି କଟୁ ମର୍ଜିରେ ।
ମୋର ସରଳ, ନିଷ୍କପଟ, ଭୋଳା ହୃଦୟର ସୁଯୋଗ
ଝାମ୍ପି ନିଅନ୍ତି ସେମାନେ
ମୋ ସ୍ୱାମୀଙ୍କୁ ବି ଚାପ ପକାଇ ଟାଣନ୍ତି ନିଜ ପକ୍ଷକୁ
ବିଷ ଭରି ତାଙ୍କ ମନେ ।
ସମସ୍ତେ ମିଳିମିଶି ଯୌତୁକ ନିର୍ଯ୍ୟାତନା ଦେଇ ନ ପଛାନ୍ତି
ଜୀବନ ଜାଳିବାକୁ ମୋର
ଅବା ତାଙ୍କ ଶାସ୍ତି ଆଉ ମିଥ୍ୟା ଅପବାଦ ନ ପାରି ସହି
ନିଜେ ହାରିଯାଏ ଜୀବନ ସଂଗ୍ରାମର ।