ଝରକା ସେପାଖେ
ଝରକା ସେପାଖେ
ବାହାରେ ମୌସୁମୀର ମେହେଫିଲ
ମେଘର ଗଜଲ୍
ଫୁଲ ପ୍ରଜାପତିଙ୍କ ଅନ୍ତରଙ୍ଗ ଆଳାପ
ବରଷା ବଧୂର ରିମ୍ ଝିମ୍
ପାଉଁଜିର ସ୍ବର ।
ଶାଗୁଆ ଓଢ଼ଣୀ ଫାଙ୍କରୁ
ଧରଣୀରାଣୀର ଲାଜୁଆ ଚାହାଁଣୀ
କୋଳାହଳର କଲ୍ଲୋଳ ।
ମୁଁ କିନ୍ତୁ ଭିତରେ ଖୁବ୍ ଏକାକୀ
ନିସ୍ତବ୍ଧତାର ନାଗଫାଶରେ ଅସ୍ତବ୍ୟସ୍ତ
ମୌସୁମୀର ମାଦକତା
ପହଞ୍ଚିପାରୁନି ମୋ ଯାଏଁ ।
ମୁଁ ସ୍ପଷ୍ଟ ଶୁଣିପାରୁଛି ଦୂର ଦିଗ୍ ବଳୟରୁ
ଭାସିଆସୁଥିବା ଏକ ଭିନ୍ନ ପ୍ରତିଧ୍ଵନି
କେନ୍ଦରାର କରୁଣ ରାଗିଣୀ
କେଉଁ ଏକ ଅଭାଗିନୀର
ଦରଦୀଭରା ଉଜୁଡା କାହାଣୀ ।
ବୁଢ଼ା ଶଙ୍ଖାରୀର ଚିହ୍ନା ଚିହ୍ନା ସ୍ବର
ମାଆ ଦୁଆର ଖୋଲ
ଦୁଆରଖୋଲ ମାଆ
ତୁମେ କହିଥିବା " ଉସ୍ ମାନ୍ ତାରା "
ଶଙ୍ଖା ଆଣିଛି ଦେଖ ମାଆ
ଭାରି ମାନିବ ତୁମ ହାତକୁ
ନାଇ ଦେଖ ମାଆ ।
ଏ କ'ଣ ?
ଭିତରୁ ଏକ ବୁକୁଫଟା ସ୍ବର
କାରୁଣ୍ୟ ବିଳାପ
କୋହଭର୍ତ୍ତି କଣ୍ଠରେ ଆର୍ତ୍ତଚିତ୍କାର
ନାଇଁ ନାଇଁ ମଉସା ଲୋଡା ନାହିଁ
ଫେରିଯାଅ ତୁମେ ସେ ଆଉ ନାହାନ୍ତି ।
ଵିଧିଲିପିର ବିଡମ୍ବନା ଏ କରୋନା
ତାଙ୍କୁ କରିଦେଇଛି " ଆସ୍ ମାନ୍ ତାରା "
କୁହ କୁହ ମଉସା ଆଉ
କାହା ପାଇଁ ମେଲିଵି ରୂପର ପସରା ।
ଫଗୁଣ ବି ଯାଚୁଥିଲା ସିନ୍ଦୂର ଫେରେଇଛି ତାକୁ ନଖୋଲି
ମୋ ଦାଣ୍ଡ ଦୁଆର
ନିୟତି ହେଇଛି କ୍ରୁର
ଲିଭିଛି ପାଦରୁ ଅଳତା ଗାର
ଶଙ୍ଖା ଆଉ ସିନ୍ଦୂର ଏବେ
ମୋ ପାଇଁ ସାତପର ।
ଏ ଵେରଙ୍ଗୀ ଜୀବନରେ ସେ
ରଙ୍ଗସଵୁ ଦେଖିଲେ
କାଇଁ କେଜାଣି ଲାଗୁଛି
ଭୀଷଣ ଭୟଙ୍କର
ଡର ଆଉ ଡର
ଅଜଣା ପଥର
କିଟ୍ କିଟ୍ ଅନ୍ଧାର ।