ଝରକାର ଆରପାଖେ
ଝରକାର ଆରପାଖେ
ଜୀବନ ଯାତ୍ରାର ପଥେ ପଡେ କେତେ
ଖାଲ ଢିପ ସମତଳ
କିଛି ହୁଏ ଲେଖା କିଛି ବି ଅଲେଖା
ସତେ ଭଙ୍ଗା ଗଢ଼ା ଖେଳ |
କିଛି ସ୍ମୃତି ରହେ ମନରେ ନିଭୃତେ
ଦୁଃଖର ଅବା ସୁଖର
କିଛି ପଡିରହେ ମନର ବାହାରେ
ଅଲୋଡ଼ା ଯେ ଭାବନାର |
ଘର ଝରକାର ଆରପାଖେ ଫିଙ୍ଗା
ଚିରା କାଗଜ ଟୁକୁଡା
ଖୋଜିଲେ ମିଳିବ ଅନେକ କାହାଣୀ
ଯାହାର ନଥାଏ ଲୋଡ଼ା |
ମଣିଷ ମନ ତ ସେମିତି ତିଆରି
କିଛି ସ୍ମୃତି ଫିଙ୍ଗେ ଦୂରେ
ମନ ଝରକାର ଆରପାଖେ ଥାଏ
ଖୋଜିଲେ ଯେ ମିଳିପାରେ |
ପିଲାଦିନଠାରୁ କେତେ ଯେ କାହାଣୀ
ଝରକାର ଆରପାଖେ
ଦୂର ଦିଗବଳୟେ ଦେଖା ଯାଏ ସବୁ
ଅତୀତକୁ ଯେ ନିରେଖେ |
କିଛି ସବୁଜିମା କିଛି ଯନ୍ତ୍ରଣାର
ସ୍ମୃତି ଭାଷେ ଆଖିଆଗେ
କିଛି ଅଧା ମୁହଁ କିଛି ଅଧା କଥା
ମନେ ପଡି ପୁଣି ଭାଗେ |
କଙ୍କିଧରା ଠାରୁ ଚାଟଶାଳୀ ପାଠ
ବୁଢ଼ୀ ମା'ର ଗପ ସବୁ
ଅଧା ମନେ ପଡେ କିଛି ବି ସମ୍ପୂର୍ଣ୍ଣ
ଅତୀତକୁ ଭାବୁ ଭାବୁ |
ଦୁଷ୍ଟାମୀ ସମୟେ ବାପାଙ୍କର ମାଡ଼
ମାଆର ଆକଟ କଥା
କେବେ ଲୁଚିଥିବା ମାଆ ପଣତରେ
କେବେ ଅଳି କେବେ ବ୍ୟଥା |
କୈଶୋରର ପ୍ରେମ ଚହଲା ମନରେ
ଆଙ୍କିଥିଲା କେତେ ଛବି
ଝାପ୍ସା ଝାପ୍ସା କିଛି ମନକୁ ଆସିବ
ପ୍ରୀତିର ଯେ ଅନୁଭବି |
ଜୀବନ ଏମିତି ମନ ବି ଏମିତି
ଚାଲୁଥାଏ ଦୁଃଖେ ସୁଖେ
କେବେ ଥାଏ ଘରେ କେବେ ଛିଡାହୁଏ
ଝରକାର ଆରପାଖେ |
