ଶୀତସନ୍ଧ୍ୟାର ଅନୁଭୂତି
ଶୀତସନ୍ଧ୍ୟାର ଅନୁଭୂତି
ପଉଷର ଶୀତଦିନ ସନ୍ଧ୍ୟା ହେଲେ
ବାଘପରି ମାଡିଆସେ ଶୀତ
ଦେହ ହୁଏ କଞ୍ଚାପାଣି ଥୁରୁଥୁରୁ ହାତଗୋଡ
ଛୁଇଁ ଦେଲେ ହେମାଳ କାକର ।
ଉଷୁମ ପଶମ ବସ୍ତ୍ର ଖରାଖିଆ
କମ୍ବଳ ରେଜେଇ
ଲୋକମାନେ ରଖିଥାନ୍ତି ଦେହମୁଣ୍ଡ
ଯତନରେ ଘୋଡାଇ ।
ଦେହକୁ ଆରାମ ଦିଏ ବାମ୍ଫୁଆଣୀ
ଚାହା ହେଉ କଫି
ଘରେ ବସି ବାବୁ ସବୁ ମିଟିମିଟି
ଦେଖୁ ଖୋଲି ଟିଭି ।
ବୁଲୁଛି ଯେ ପେଟ ପାଇଁ କେଉଁଠି ବା
ଅଛି ଭାଗ୍ୟେ ସୁଖ
ପଥର କରିବ ଦେହ ଶ୍ରମ ସିଏ
କରିବ ଅବଶ୍ୟ ।
ଗାଆଁ ବସ୍ତି ଠାରୁ ଦୂରେ କ୍ଷେତପାଖ
ରାସ୍ତାକଡ଼ ପୋଖରୀ ହୁଡାରେ
ପାଲଟାଣି ରହିଥାନ୍ତି ଶ୍ରମଜୀବୀ
କନ୍ଧକୋହ୍ଲ ଆଦିବାସୀ ଜନେ ।
ଚିକ୍କଣ ଫୁଙ୍ଗୁଳା ଦେହ ନାହିଁ ଶୀତ
ଗରମ ପୋଷାକ
ସନ୍ଧ୍ୟା ହେଲେ ନିଆଁଜାଳି ଚାଲୁହୁଏ
ତାଙ୍କ ଗପସପ ।
କଅଁଳ ଖରାକୁ ଉଣ୍ଡି ଗାଆଁ ଦାଣ୍ଡେ
ଡିଆଁ ମାରେ କଅଁଳା ବାଛୁରୀ
ପଖାଳ ତୋରାଣୀ ପିଇ କାମ ପାଇଁ ବାହାରନ୍ତି
ଶ୍ରମଜୀବୀ ଦାଆକୋଡି ଧରି ।
ଯେତେ ବସ୍ତ୍ର ପ୍ରାଣଭୟ କର୍ମଚୋରୀ
ସେତେ ବେଶୀ ଶୀତ
ବିଧାତାଙ୍କ ବିଧାନ ବିଚିତ୍ର,
ଅସହାୟ ନିରୀହଙ୍କୁ ମହାପ୍ରଭୁ ସାହା ଓ ଭରସା
ସରଳ ଜୀବନ ତାଙ୍କ ଦେହ ଲୈ।ହବଜ୍ର ।