ଶୀତରାତି
ଶୀତରାତି
ଧାନ ବଦାଡିରେ ପହ୍ଲା କରିଥିଲି
ଧାନକୁ ଜଗିବି ବୋଲି
ଥିରି ଥିରି ହୋଇ ଶୀତୁଆ ପବନୁ
ତ୍ରାହି ପାଇଯିବି ବୋଲି ||
ମାର୍ଗଶିର ମାସେ ମାତା ଲକ୍ଷ୍ମୀ ପୂଜି
ସୁନାର ଫସଲ କାଟି
ହାତୀ ବାର୍ ହା ଠାରୁ ଧାନ ରକ୍ଷାକରି
ଖଳାରେ ବଦାଡି ଭେଟି ||
ପଉଷ ମାସର ଶୀତୁଆ ସଞ୍ଜରେ
କାଠ ଦେହେ ନିଆଁ ଜାଳି
ବସିଥିଲି ମୁହିଁ ତାହରି ପାଖରେ
ଉଷ୍ଣତା ଲଭିବି ବୋଲି ||
ନୀଳ ଗଗନରେ ତାରାଗଣ ମେଳେ
ଜହ୍ନ ହସି ଖିଲି ଖିଲି
ସତେକି ଆକାଶେ ସହସ୍ର ଦୀପାଳି
ଦେଇଅଛି ସିଏ ଜାଳି ||
ଛାଇ ଆଲୁଅରେ ପାଦ ଚାପି ଚାପି
ପିନ୍ଧି ତୁମେ ନୀଳ ଶାଢୀ
ସରାଗରେ ତୁମେ ଦେଇ ଯାଉଥିଲ
ଗରମ ଗରମ ମୁଢି||
ଉଦାସ ପ୍ରାଣରେ ରଚିଣ ଲହଡି
ତୁମରି ଓଠର ହସ
ଧୋଇ ଦେଉଥିଲା ହସର ଲହରୀ
ମନ ସିନ୍ଧୁ ତଟଦେଶ ||
ନିଶାଗମେ ନିଶା ଦେବୀ ପିନ୍ଧିଥିଲା
ତାର ଘନ କଳା ଶାଢୀ
ତାରାଗଣ ମେଳେ ଜହ୍ନ ହସୁଥୁଲା
ଶୁଭ୍ର ଜୋଛନା ବିଛାଡି ||
ପଉଷ ପୀୟୁଷ କାକର ବିନ୍ଦୁରେ
ଭିଜି ଦୃମଦଳ ଘାସ
ଶୁଭ୍ର ଜୋଛନାରେ ପାରଦ ଧଉତ
ପ୍ରାୟ ଗିରି ବନ ଦେଶ ||
ଆମ ଗାଆଁ ମୁଣ୍ଡ କିଆ ଗୋହିରୀରୁ
ହୁକେ ହୋ ରଡି ଛାଡି
ସମସ୍ତ ପ୍ରାଣୀଙ୍କୁ ସୂଚାଇ ଦିଅନ୍ତି
ଶୀତ ଆସୁଅଛି ମାଡି ||
ଶୀତୁଆ ପବନ ଦୂରୁ ବୋହିଆଣେ
ପାର୍ବତ୍ୟ ଝରଣା ନାଦ
ଧୀରେଧୀରେ ପୃଥ୍ବୀ ନିରବ ହୁଅଇ
ଶୁଭେ ବନ୍ୟଜୀବ ଶବ୍ଦ ||
ଶୀତର ପ୍ରକୋପ କ୍ରମଶଃ ବଢଇ
ଯେତିକି ବଢଇ ରାତି
ଗରିବ କଷଣ ସେତିକି ବଢଇ
ବସେ ରଡ ନିଆଁ କତି ||
ଆକାଶରେ ଜହ୍ନ ତାରାଗଣ ସାଥେ
ଆସି ଯାଏ ସବୁ ରାତି
ପହ୍ଲାର ଭିତରେ ନଡାର ଶେଯରେ
ନିଦ୍ରାକୋଳେ ବିତେ ରାତି ||