ମୋ ବାପା ମାଆ
ମୋ ବାପା ମାଆ
କାହିଁ ଏତେ କୋହ ଉଠଇ ହୃଦରୁ
ତୁମ କଥା ଭାବି ଭାବି ,
ଏମିତି ବି କେବେ ଦିନଟେ ଯାଇନି
ଭାବିନାହିଁ ତୁମ ଛବି ।
ପିତା, ମାତା ଥିଲ ଚଳନ୍ତି ଈଶ୍ୱର
ଜୀବନର ପଥପ'ରେ ।
ତୁମେ ଗଲା ଦିନୁ କାହିଁକି କେଜାଣି
ଉଦାସୀ ଏ ମନ ଝୁରେ ।
ପଢ଼ିଲେ କାହାରି ମାତା ପିତା କଥା
ଆଖି ବୋଲ ମାନେ ନାହିଁ ,
ଝରି ପଡ଼େ ଅଶ୍ରୁ ଝର ଝର ହୋଇ
ଖୋଜେ ତୁମେ ଗଲ କାହିଁ ।
ପାଞ୍ଚ ବର୍ଷ ହେଲା ଚାଲିଗଲ ଦୁହେଁ
ହାତ ଧରାଧରି ହୋଇ ,
ବାପା ଶୁଦ୍ଧି ଘର ଶେଷ କରି ମୁଁ ଯେ
ଦେଖିଲିନି ମାତା ଛାଇ ।
ଏମିତି ଗଲ ଯେ ଦୁଇ ଜଣ ଯାକ
ଶେଷ ଦେଖା ପାଇଲିନି ,
ହୀନି କପାଳି ମୁଁ ଶେଷ ସନ୍ତାନଟି
ସୁଖ ସ୍ମୃତି ଜାଣିଲିନି ।
ବଡ଼ମାନେ ସତେ କେତେ ଭାଗ୍ୟବାନ
ପିତା,ମାତା ସୁଖ ପାଇଁ,
ସାନଟି କେବଳ ଅଳପ ଦିନରେ
ସ୍ମୃତିକୁ ଅଣ୍ଡାଳେ କାହିଁ ।
ଶେଷ ସନ୍ତକ ମୋ ପାଖରେ ରହିଛି
ବାପାଙ୍କର ପାନବଟା ,
ମାଆର ରହିଛି ଦୁଇପଟ ଶଙ୍ଖା
ଶାଢ଼ୀଟିଏ ଛିଟପକା ।
ନାଲିଶଙ୍ଖା ଦୁଇ ପଟକୁ ଦେଖିଲେ
ମାଅ ହାତ ମନେପଡ଼େ ,
ବାହିଏ ଚୁଡ଼ିରେ ନାଲି ଶଙ୍ଖା ଯୋଡ଼ି
ଦାଉ ଦାଉ ଦିଶେ କେଡ଼େ ।
ପାନବଟା ଟିରେ ପ୍ରତିଦିନ ମୁହିଁ
ଫୁଲ ଟିଏ ଦେଲାବେଳେ ,
ମନେପଡ଼େ ମୋର ବାପାଙ୍କର ସେହି
ପାନଖିଆ ହସ କଳେ ।
ମା ' କାନି ପଣତ ପୋଛିବାକୁ ହାତ
ଜୀବନରେ ମିଳିବନି ,
ବାପାଙ୍କ ପାଖରେ ଭଲ ମନ୍ଦ ପାଇଁ
ଅଝଟ ବି କରିବିନି ।
ତୁମ ମମତାର ଅତୁଟ ବନ୍ଧନ
ଅମୂଲ୍ୟ ତୁମର ବାଣୀ ,
ଏ ଜନମ ପାଇଁ ହରେଇ ଦେଇଛି
ସ୍ୱରୂପକୁ ହୁଏ ଗୁଣି ।
ନିଃସ୍ୱାର୍ଥ ସ୍ନେହକୁ ହରାଇବା ପରେ
ବଞ୍ଚିବାର ମାନେ ନାହିଁ ,
ଏ ଏକ ଏମିତି ଯନ୍ତ୍ରଣା ଯାହାର
ଶେଷନାହିଁ ଶେଷନାହିଁ ।
ଲେଖଇ କବିତା ତୁମରି ଦୁହିତା
ଅଶ୍ରୁଧାରେ ତୁମ ପାଇଁ ,
ତୁମ ଶୂନ୍ୟସ୍ଥାନ ହେବନି ପୁରଣ
ରହିଥିବା ଯାଏ ଜିଇଁ ।
ଯେଉଁଠି ରହିଛ ଶାନ୍ତିରେ ରୁହ ହେ !
ପୂଜ୍ୟ ପିତାମାତା ମୋର ,
ବଞ୍ଚିଥିବା ଯାଏଁ ଝୁରୁଛି ଝୁରିବି
ଗଡ଼ୁଥିବ ଲୁହ ଧାର ।