ମୁଁ କୃଷକ
ମୁଁ କୃଷକ
ମୁଁ କୃଷକ!!! ଜୀବନ ମୋ ଅତି ସାଧାରଣ
ସମାଜରେ ନାହିଁ ମୋର ପ୍ରତିଷ୍ଠା ପ୍ରତିପତ୍ତି କିମ୍ୱା ମାନ୍ୟ ।
ଉପୁଜାଏ ଖାଦ୍ୟ ନିଜ ଲହୁଲୁହ ମୋ ନିଗାଡି
ତଥାପି ଦେଖନ୍ତି ସେମାନେ ମୋ ଭୂମିକାକୁ, ନିହାତି ଗୌଣ ।।
ଭୂମିରେ ସମର୍ପି ଦେଇ ମୋ ସର୍ବସ୍ୱ
ହୋଇଥାଏ କେବେ ସର୍ବସ୍ୱାନ୍ତ ନିଃସ୍ୱ ।
କିନ୍ତୁ, କାତର ହୁଏନି ମୁଁ କରିବାରେ ଶ୍ରମ
ହରାଇ ନଥାଏ କଦାପି ମୋହର ବିଶ୍ୱାସ ।।
ସହିଥାଏ ବଜ୍ରାଘାତ, ପୁଣି ବାସବର କୋପ
କେବେ ଦାଉ ସାଜିଥାଏ ଏ ଧରଣୀ ମା, ହୋଇଯାଇ ରୁକ୍ଷ ।
ପ୍ରାକୃତିକ ବିପର୍ଯ୍ୟୟ କେବେ କରଇ ଆଘାତ
ତଥାପି ମୁଁ କରେ ମୋ କର୍ତ୍ତବ୍ୟ, କେବେ ନ ହୋଇ ବିଚ୍ୟୁତ ।।
କରେ କ୍ଷୁଧା ନିବାରଣ ଉପୁଜାଇ ଶସ୍ୟ
କିନ୍ତୁ, ପାଞ୍ଚପ୍ରାଣୀ ମୋ କୁଟୁମ୍ବ ଗୃହେ ରୁହନ୍ତି ଉପାସ ।
ହେଲେଣି ମୁଁ ଦରବୁଢ଼ା ଶୁଣିଶୁଣି ମିଥ୍ୟା ଆଶ୍ଵାସନା
ନିର୍ବାଚନୀ ଇସ୍ତାହାର ଆଉ ବଜେଟର ବାହାନା ।।
କୃଷିଋଣ ଛାଡ଼ ବୋଲି କରନ୍ତି ପ୍ରଚାର
କୁହନ୍ତି କରୁଛୁ ଚାଷ ଆଉ ଚାଷୀ ଉପକାର ।
ପ୍ରବଞ୍ଚନା, ମିଥ୍ୟା ପ୍ରବଞ୍ଚନା ଆଉ ଛଳନା ତାଙ୍କର
ବଣି କୁ ମାରି ଝିଣ୍ଟିକା ପୋଷିବା ବେଭାର ।।
ସହିବାର ସବୁ ସୀମା ଯାଏ ଯେବେ ଟପି
ବାଧ୍ୟ ହୋଇ ଯଦି କେବେ ଦିଏ ଆତ୍ମାହୁତି ।
ଶବ ମୋ ହୁଏ ଖେଳନା, ଖେଳନ୍ତି ଶସ୍ତା ରାଜନୀତି
ମୃତ୍ୟୁ ବି ମୋ ହୁଏ ଅଭିଶପ୍ତ, କାହିଁ ମୋର ମୁକ୍ତି ।।
ସରକାରୀ କଳ ଆଉ ଦୈବୀ ଦୁର୍ବିପାକରେ
ପେଷି ହେଉଥାଏ ନିତି ପେଷଣା ଚକ୍ର ପରକାରେ ।
କପୋତ ଆଶାରେ ଚାହିଁ ଶୂନ୍ୟ ଆକାଶକୁ
ଜଳଧାରା ବୋଲି ଯାହା ଦେଖେ, ସେ ତ ମୋ ନିଜର ଅଶ୍ରୁ ।।
ତଥାପି ହେଉନି ନିରାଶ
ସେ ସର୍ବନିୟନ୍ତାଙ୍କ ପାଖରେ ମୋ ଅଖଣ୍ଡ ବିଶ୍ୱାସ ।
କାପୁରୁଷ ଲକ୍ଷଣ ସିନା କାତରତା
ସଂଘର୍ଷରେ ଫୁଟିଉଠେ ନିଜର ବୀରତା ।।
ରଖିନାହିଁ ଆସକ୍ତି ମୁଁ ନିଜ କର୍ମଫଳେ
ବାହାନା ବି ଖୋଜୁନାହିଁ ଦୋଷ ଦେଇ ଭାଗ୍ୟଫଳେ ।
ଜାଣିଛି କର୍ତ୍ତବ୍ୟ ସାର ମୋର ମୁକ୍ତିମାର୍ଗ
ଏଣୁ ଏ ବିଶ୍ୱାସ ରଖି, ମୋ କର୍ମରେ ମୁଁ ବ୍ୟଗ୍ର ।।