STORYMIRROR

SARADA NAYAK

Abstract Inspirational

3  

SARADA NAYAK

Abstract Inspirational

ମୁଁ ଛାଇ କହୁଛି

ମୁଁ ଛାଇ କହୁଛି

1 min
199

କୁହ,

କେତେ ସମୟ!!

କେତେ ସମୟ ଆଉ ଏକାକୀ

ଠିଆହେବ ଏ ଦୋଛକିରେ ?

ରବି ଅସ୍ତଗତ-

କେତେବା ଆଉ ଅପେକ୍ଷା କରିବ ତାକୁ

ଏ ସମୟ ବେଦିରେ ?

ମୁଁ କହୁଛି ବୋଲି ଡରି ଯାଉଛ !!

ନା.........ବ୍ୟସ୍ତ ହୁଅନି

ମୁଁ ନେଇ ଯିବିନି ତୁମକୁ, ମୋ ସାଙ୍ଗରେ,

ମୋ-ବଳୟ ଭିତରକୁ ।

ହଜେଇ ଦେବିନି,

ପରିକଳ୍ପନା’ର ଅଗନା ଅଗନି ବନସ୍ତ ଭିତରେ

କାହିଁକି ନା ମୁଁ ଜାଣେ,

ତୁମେ ଭଲ ପାଅ ଡରିବାକୁ ।


ରୁହ,

କ୍ଷଣେ ଅପେକ୍ଷା କର ।

ଆଉ ଶୀତଳ ହେବାକୁ ଦିଅ-

ତୁମ ଝାଞ୍ଜି ପ୍ରଶ୍ୱାସ କୁ ।

ଟିକିଏ ଗାଢ୍ ହେବାକୁ ଦିଅ

ତୁମ ଫିକା ହେଇ ଆସୁଥିବା ବିଶ୍ୱାସ କୁ।


ଆସ,

ମୋ ପଛେ ପଛେ ଆସ

ଏଇଠି ବସ

ମୋ ପାଖରେ,

ପୂର୍ବ ଦିଗକୁ ମୁହଁ କରି ।

ଖୋଲି ଦିଅ ଅଭିମାନର ବସ୍ତ୍ର

ଆଉ ସ୍ୱାଭିମାନର ଅନ୍ତବସ୍ତ୍ର

ଯାହାକୁ ଚାପି ରଖିଛ,

ଅହଙ୍କାର ର ହୁକ୍ ରେ।

କିନ୍ତୁ ଖୁବ୍ ସନ୍ତର୍ପରେ.........

ମନ-ପ୍ରେମିକର ଅଗୋଚରେ।


ନିଅ,

ପିଇ ନିଅ

ଆଶ୍ୱସ୍ତି ରୁ କିଛି ଢୋକ ।

ଆଖି ବୁଜି, ଅନ୍ଧାର ରେ-

ଦୀର୍ଘ ପ୍ରଶ୍ଵାସ ନେଇ,

ଅନୁଭବ କର ତା କୋମଳତାକୁ ।

ସ୍ପର୍ଶ କର ଆବିଳତା କୁ,

କାନ ଡେରି ଶୁଣିବାକୁ ଚେଷ୍ଟା କର

ତା ପ୍ରତିଧ୍ଵନି କୁ।


ଅଜାଡ଼ି ଦିଅ 

ଯାହା ଜମାଟ୍ ବାନ୍ଧି ରହିଛି ତୁମ ବକ୍ଷରେ

ଦେଖ, ଶାନ୍ତି ମିଳିବ ନିଶ୍ଚୟ

ନିଗାଡ଼ି ଦିଅ 

ଯାହା ତରଙ୍ଗ ସୃଷ୍ଟି କରୁଛି ତୁମ ହୃଦ ସାଗରେ

ଦେଖ, ହାଲୁକା ଲାଗିବ ନିଶ୍ଚୟ ।

ଆଉ,ଛନ୍ଦି ଦିଅ 

ତୁମ ଆତ୍ମାକୁ ମୋ ମୋ ଷଷ୍ଠ ଇନ୍ଦ୍ରିୟ ସହିତ

ଦେଖ,ପୂର୍ଣ୍ଣ ସୁଖ ମିଳିବ ନିଶ୍ଚୟ।


ଲୀନ ହେବାକୁ ଦିଅ-

ତୁମ ଅସ୍ତିତ୍ଵ କୁ,

ସ୍ୱଚ୍ଛ ନିର୍ମଳ ପ୍ରଭୁ ଧାରା ରେ ।

ଶାନ୍ତ ହୁଅ ,ସ୍ଥିର ହୁଅ

ହେଇ ଯାଅ ସାବର୍ଯ୍ୟ,ସବିକଳ୍ପ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract