ମୁକ୍ତି
ମୁକ୍ତି
ଆମେ ଅଗ୍ନିର ଶିଖା ଡେଇଁ
ସାତ ଦରିଆକୁ ପାରି ହେଇଯିବୁ
ଭୟନାହିଁ.... ଭୟନାହିଁ... ।
ଆସୁ ଝଡଝଞ୍ଜା ଆସୁ କାଳରାତି
ଆସୁ ବଇଶାଖି ଖରା
ଦଳିଦେବୁ ସବୁ ପାଦରେ ଆମର
ନମାନି ବରଷା ଧାରା ।
ଆମ ରକ୍ତ ଉଠିଛିଚେଇଁ,
କେତେଦିନ ଆଉ ଗୋଲମ
ହେଇକି ଖଟୁଥିବୁ କୁହ
ତୁମପାଇଁ... ତୁମପାଇଁ...।
ହଜିଗଲା ଯା'ର ହଜାରେ ସପନ
ଭୋକର ଦୁଆରେ ବସି
ତାକୁ ବୁଝେଇବ ରକତର ମୂଲ
ଦିନ ଦ୍ବିପ୍ରହରେ ଆସି !!!
ଏଠି ମୁଠାଏ ପଖାଳ ପାଇଁ,
ବାପ ବିକିଦିଏ ଯୁଆନ
ଝିଅର କପାଳର ରେଖା
ଗୋଟେ ଠିକାଦାର ପାଇଁ ... ।
ତୁମେ ବେଇମାନ ତୁମେ ସଇତାନ
ମାଗିଖିଆ ଅଲାଜୁକ
ଆମରି ହାଡରୁ ମାଉଁସ ଚୋରେଇ
ମେଣ୍ଟାଉଛ ତୁମ ଭୋକ ?
ଲୁହରେ ଖୋଜୁଛ
ଶୋଷଣର ଶୋଷ ଶେଷ ଦିନଯାଏ
ଲାଜନାହିଁ... ଲାଜନାହିଁ... ।
କେତେଦିନ ଆଉ ତୁମରି ଦୁଆରେ
ପାତୁଥିବୁ କୁହ ହାତ
ରୋଗୀଣା ମାଆର ତାଟିଆକୁ ବିକି
ଖାଉଥିବୁ ଠିଆ ଲାତ ।
ଜନମ ଆମର ଯାତନାରେ
ଗଢା ଭାବୁଛ କି ତୁମେ
ନିଜକୁ ଜାଳିବା ପାଇଁ ...???
ତୁମ ବଡଲୋକି ପାରିବା ପଣିଆ
ତୁମ ପାଖେ ଏବେ ରଖ
ଛିଣ୍ଡାଇ ଦେବୁ ବେଡିର ପାହଡ଼
ମଥା ଟେକି ଟିକେ ଦେଖ ।
ଅୟୁତ ଯୁଗର ଅମାରାତି
ଆଜି ଚାଲି ତ ଗଲାଣି
ଆମପାଇଁ.... ଆମପାଇଁ... ।
