STORYMIRROR

Chinmay Behera

Romance

4  

Chinmay Behera

Romance

ମୁହଁ ସଂଜ

ମୁହଁ ସଂଜ

1 min
171

କେବେ କେବେ ଫୁଲ ଫୁଟେ

ଆବେଗର ଚିତ୍ରିତ ସକାଳେ,

ଚେତନାର ଚଉହଦୀ ପାଖେ

ବିକିଦିଏ ବହଳ ଅନ୍ଧାର, 

ମୁହଁ ସଂଜ ହେଉ ହେଉ

ମନ ଖୋଜେ ଆଉ ଏକ ମନ

ପାଇବାକୁ ମୁଠାଏ ଆଶ୍ଲେଷ ।


'ଭାବ' ଆଉ 'ଅଭାବ'ର ଅର୍ଗଳୀ ଭିତରେ

ସକାଳର ଖରା ବାଜୁ ବାଜୁ

ଖୋଜେ ଏକା ତୁମ ଅନୁରାଗ,

ସମୟର ବନ୍ଧନକୁ କାଟି

ପ୍ରେମର ପାଚେରୀ ତୀରେ

ନିତି ଗଢେ ବାଲିର ଦେଉଳ,

ଜାଣିଛି ମୁଁ ଭାଙ୍ଗିଯିବ

ଦଲକାଏ ପବନ ମାଡ଼ରେ

ତଥାପି ମୁଁ ଗଢିଚାଲେ ଜନ୍ମ ଜନ୍ମାନ୍ତର ।


ଆଜିଲାଗେ ଭାରି ଭଲ

କାଲି ଲାଗେ ତା'ଠାରୁ ଆହୁରି ବି ଭଲ,

ହେଲେ ପଅରଦିନ ଟା ଲାଗେ ସ୍ବପ୍ନମୟ

ଭୟ ଠାରୁ ଆହୁରି ବି ଭୟ,

ବୋଧହୁଏ ଇଏ ପରା ହୋଇପାରେ

ମୋ ପ୍ରେମର ପାଲଟା ପ୍ରବାହ !


ଗୋଲାପର ଉପବନେ

ଖୋଜି ଖୋଜି ଜହ୍ନର ଠିକଣା,

ସ୍ବପ୍ନ କେବେ ହୁଏନା ଦୁଃସ୍ବପ୍ନ,

ସବୁ ସିନା ମାୟାର ମହକ

ହେଲେ ତା' ଭିତରେ ଥାଏ ଏକ

ମମତାର ଚେନାଏ ପୁଲକ ।


ପଉଷର କାକର ବିନ୍ଦୁରେ

ପ୍ରତୀକ୍ଷାର ଋତୁ ଯାଏ ବଢ଼ି,

ଦିନ ଯାଇ ରାତି ହୁଏ ସିନା

ଭାବନାର ଛନ୍ଦ ବଢେ

ଜୀବନର ସାରେଗାମା କୂଳେ,

ମୁଁ ବି ପାରେନା ବୁଝି

ଜ୍ୟାମିତିର ଉପପାଦ୍ୟ,ସରଳ ଭଗ୍ନାଂଶ

ଖାଲି ବୁଝେ,

ତୁ ଥିଲେ ଦୁନିଆଟା ଲାଗେ

ଶ୍ୟାମଳ ସାରାଂଶ ! ଶ୍ୟାମଳ ସାରାଂଶ ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance