STORYMIRROR

ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ମଶାଣୀ ମାଟି

ମଶାଣୀ ମାଟି

1 min
276


ଖାଲି ମଶାଣୀଟି ଲୋଡା ଅଛି ବୋଲି

ଧପାଲିଛି ଏତେ ଦୂର

ସବୁ ଜାଗା ମଶାଣୀ ହୋଇ ପାରେନା

ଏହା ନୁହଁ ଅଗୋଚର ।।

ଏ ହାତ ସେଠି ବି କୁଟୁଥିଲା ଦିନେ

ଏ ପାଦ ବି ଉଠୁଥିଲା

ଏ ପେଟ ସେଠି ବି ଜଳୁଥିଲା କେବେ

ବୁକୁ ସତେ ଫାଟୁଥିଲା ।।

ମୁଣ୍ଡରେ ଥିଲା ମୋ ଅବୁଝା ସଂସାର

ମନରେ ଦୃଢ ବିଶ୍ୱାସ

ପାଦରେ ବୋଝଟି ବାଧ୍ଯ ବାଧକତାର

ଧୂଧୁ ଖରାରେ ନିଶ୍ବାସ ।।

ସାମ୍ନାରେ ମୋର କିଟ୍ କିଟ୍ ଅଂଧାର

ଅଦୃଶ୍ୟ ସେ ଭାବବିନ୍ଦୁ

ପଛେ ସହରର    ଅସହ୍ୟ ଧିକ୍କାର

କଳ୍ପନାର ମୁକ୍ତ ସିନ୍ଧୁ ।।

ସିଏ ଚାଲୁଥିବା   ତାତିଲା ସଡକେ

ବିଛେଇ ଦିଆ ଯାଇଛି

ସମସ୍ତ ତାଗିଦାର କାନୁନ୍ ଯେତେ

ଗାନ ବି କରା ଯାଉଛି ।।

ଲୋଭିଲା ଯୋଜନାର ଆଶ୍ବାସନା ତ

ବ୍ଯବସ୍ଥା କରା ଯାଇଛି

ବଂଦ ଗାଡିର ଆଦେଶ ନାମା ସବୁ

ରୋଇ ଦିଆ ଯାଇଛି ।।

ପ୍ରତି ପାହୁଂଡରେ ନାନା ଅତ୍ଯାଚାର

କଳବଳ ବେଳା ଭୂଇଁ

ଆହୁରି ଚେତେଇ ଦେଉଛି ସେ ଚିହ୍ନା

ମୋହରେ ପଡିବ କାହିଁ ।।

ଏ ମୋହ ପେଟର ନୁହେଁ କି ପାଟିର

କେବଳ ଆଉ କେବଳ

ମାଟିର ମଶାଣୀର ଆଉ ସେଥିରେ

ଥିବା ରୁଗ୍ଣ ମନୋବଳ ।।

ପର ଗାଁରେ ଠିଆ ଥିବା ମଶାଣୀକୁ

କେହି ଜାଣି ପାରନ୍ତିନି

ସେଠାକୁ ଗଲା ପରେ ସେଇ ମାଟି ତ

ନିଜର ହୋଇ ରହେନି ।।

ଅଳଂଧୁ ଲଗା ଏ ସଂପର୍କଟା ଆଜି

ଅଜଣା ଧୁକଧୁକିରେ

ଲଟକି ଥିବା  ଭିଟା ମାଟିକୁ ସତେ

ଦେଖିବ ଯେମିତି ଥରେ ।।

ଶେଷ ନିଃଶ୍ବାସ ମୁଁ  ନେବା ପୂର୍ବରୁ

ମୋହାଛନ୍ନ ମଶାଣୀରେ

ମୁହୁର୍ତ ଟିଏ ଯେମିତି ଭେଟ ହେବା

ପାଇଁ ଅପେକ୍ଷା ତାହାରେ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy