ମଶା ଓ ସାପ
ମଶା ଓ ସାପ
ମଶାଟିଏ ଦିନେ ଗୀତ ଗାଇଗାଇ ଆସି,
ସାପର ଫଣାରେ ବସିଗଲା ହସିହସି |
ସାପ ରହିଥିଲା ଆଖି ମଟମଟ କରି,
ତା’ ଆଖିକୁ ଦେଖି ମଶା ଯାଇଥିଲା ଡରି |
ଶରଧାରେ ସାପ ତାକୁ କହିଲାରେ ମଶା,
ମୋ ମଥାରେ ବସିଗଲୁ ଲାଗେ ମୋତେ ଈର୍ଷା |
କୁଆଡ଼େ ଯାଉଛୁ କହ ଲାଗୁଛି କି ଥକ୍କା ?
କିଏ ତୋତେ ଗୋଡ଼େଇଲା, ଦେଇଛି କି ଧୋକା ?
ତୋର ଡେଣା-ଗୋଡ଼ ଅଛି ଗୀତ ଗାଇପାରୁ,
ମଣିଷ ଦେହରୁ ପୁଣି ରକ୍ତ ପାନକରୁ |
ତୋ ପରି ମୁଁ ଭାଗ୍ୟବାନ ହୋଇପାରି ନାହିଁ,
ବେଙ୍ଗ ଶିକାର ଖୋଜୁଛି ବଣ-ବୁଦା ଯାଇ |
ମଶା କହିଲା-ଭାଇରେ, କରିବୁନି ଦୁଃଖ,
ମୋ କଥା ଶୁଣିଲେ ତୁହି ପାଇଯିବୁ ସୁଖ |
ମଣିଷ କାନରେ ଗୀତ ଗାଏ ଗୁଣୁଗୁଣୁ,
ମଣିଷ ମାରନ୍ତି ତାଳି ଗୀତ ଶୁଣୁଶୁଣୁ |
ତାଙ୍କ ତାଳି ଶୁଣି ମୋର ମନ ଖୁସିହୁଏ,
ଲୁଚିଲୁଚି ମିଠାରକ୍ତ ପେଟେ ପିଇନିଏ |
ମୋର ଗୀତର ପାଉଁଣା ପାଇଯାଏ ମୁହିଁ,
ମାରିବାକୁ ଚାହିଁଲେ ବି ସିଏ ପାରେନାହିଁ |
ଯଦି କାହା ଚାପୁଡ଼ାରେ ପଡ଼ିଯାଏ ଥରେ,
ଅମର ସହିଦ ହୋଇ ରହେ ତାଙ୍କଘରେ |
ମଶା କଥା ଶୁଣି ସାପ ଲାଜେ ସଢିଗଲା,
ଭାଗ୍ୟବାନ ନୁହେଁ ଭାଗ୍ୟହୀନ ତୁ କହିଲା |
ମିଛୁଆ ତୁ ଜୀବାଣୁକୁ ନେଇଥାଉ ବୋହି,
ରକ୍ତ ପିଇ ମାଡ଼ଖାଇ ମରିଥାଉ ତୁହି |