ମୃତ୍ୟୁର କରାଳ ଚିତ୍ର
ମୃତ୍ୟୁର କରାଳ ଚିତ୍ର
ହଳାହଳ ବିଷ ଝରେ ଧରଣୀ ବକ୍ଷରେ
ବିକଳାଙ୍ଗ ହୁଏ ଧରା ମାନବ ହାତରେ ।
ସ୍ୱାର୍ଥୀ ମଣିଷ ଆଜି ସ୍ୱାର୍ଥ ଲାଳସାରେ
ପ୍ରକୃତିରୁ ଲୁଟୁଅଛି ସର୍ବସ୍ବ ଅଚିରେ ।
ପଶୁପକ୍ଷୀ, ବୃକ୍ଷଲତା ,ପର୍ବତ ଓ ନଦୀ
ସବୁକିଛି ଏ' ମଣିଷ ହାତେ ଖେଳୁଛନ୍ତି ।
ଯେଉଁଠାରୁ ଝରୁଥିଲା ଅମୃତର ଧାରା
ସେ ସ୍ଥାନ ପାଲଟିଲାଣି ମରୁଭୂମି ପରା ।
ବୃକ୍ଷଲତା ସଫାକରି ଗଢ଼େ ଅଟ୍ଟାଳିକା
ମଉନେ ଝରାନ୍ତି ଲୁହ ପଶୁପକ୍ଷୀ ଏକା ।
ସ୍ୱାର୍ଥୀ ମଣିଷ ଛାଡ଼ୁନି ପଥର ଓ ବାଲି
ଛିନ୍ନ ଭିନ୍ନ କରି ଲୁଟେ ପର୍ବତର ଲାଲି ।
ଜୀବଶ୍ରେଷ୍ଠ ବୋଲି ଆଖ୍ୟା ପାଇଛି ମାନବ
ମାନବ ଆଜି ହେଲାଣି ବିଭତ୍ସ ଦାନବ ।
ପ୍ରକୃତି , କନ୍ୟା ଠୁଁ ନେଇ ସବୁ ବିପର୍ଯ୍ୟସ୍ତ
କଦାକାର , କଳଙ୍କିତ ସବୁ ଅସ୍ତବ୍ୟସ୍ତ ।
ଏ' ମଣିଷ ଏହି ଲୀଳା ନହୋଇଲେ ଅନ୍ତ
ପ୍ରଳୟ ଆଣିବ ସାଥେ ନେଇ ଏ' ଜଗତ ।
ସେତେବେଳେ କାହା ଲୁହ ନଦେଖିବେ କେହି
ମୃତ୍ୟୁର କରାଳ ଚିତ୍ର ଦେଖିବେନି ରହି ।