ମୃତ୍ୟୁର କୋଳ
ମୃତ୍ୟୁର କୋଳ
ଜୀବନ ଯୁଦ୍ଧର ପରାସ୍ତ ସେନାନୀ
ନାହିଁ ମୋର କିଛି ମୋହ
ଯାହା ପାଇଁ ଦିନେ ମନେ ଗର୍ବ ଥିଲା
ସେ ଆଜି ଦେଇଛି ଲୁହ
ପିଲାଦିନେ ଯେବେ କାନ୍ଦୁଥିଲି ମୁହିଁ
ଖୋଜୁଥିଲି ମାଆ କୋଳ
ଜୀବନ ଯୁଦ୍ଧରେ ହାରିଯିବା ପରେ
ଖୋଜେ ଆଜି ମୃତ୍ୟୁ କୋଳ
ହାତ ଠାରି ଦୂରେ, ଡ଼ାକୁଛି ମୋ ମୃତ୍ୟୁ
ଆ ମୋ କୋଳକୁ ଥରେ
ଜୀବନର ସବୁ ଦୁଃଖକୁ ଭୁଲି ତୁ
ନୀରବେ ଶୋଇଯା' ମୋ କୋଳେ
ଭୁଲିଯିବୁ ସବୁ ମାୟା ଓ କାମନା
ଅଛି ଯେତେ ଦୁଃଖ କଷ୍ଟ
ମୋତେ ଆଲିଙ୍ଗନ କରିଦେ ତୁ ଥରେ
ସ୍ଥିର ହୋଇବ ତୋ ଚିତ୍ତ
ଆସିଥିଲୁ ଏକା ଯିବୁ ମଧ୍ୟ ଏକା
ନୁହଁନ୍ତି କିଏ ନିଜର
ସଂସାର ସାଗରେ ମାୟାର ଭଉଁରୀ
ମୃତ୍ୟୁ ହିଁ ସତ୍ୟ ସୁନ୍ଦର
ମୃତ୍ୟୁର କୋଳେ ଲଭିବୁ ତୁ ଶାନ୍ତି
ସବୁ ଚିନ୍ତା ହେବ ଦୂର
ଶେଷ ନିଃଶ୍ଵାସର ବିଶ୍ଵାସ ଭିତରେ
ସ୍ମୃତି ହୋଇବ ଅମର
ସ୍ମିତ ହସି ମୁଁ ଯେ କହିଲି ମୃତ୍ୟୁକୁ
ତୁ ମୋ ଅତି ନିଜର
କୋଳେଇ ନେ' ମୋତେ, କରି ଆଲିଙ୍ଗନ
ତୋ କୋଳ ମୋ ସ୍ବର୍ଗପୁର
ଇଚ୍ଛା ନାହିଁ ଆଉ ବଞ୍ଚିବାକୁ ମୋର
ସହିବାକୁ ପ୍ରତାରଣା
ହସି ହସି ଏବେ ଶୋଇବାକୁ ଚାହେଁ
ତୋ କୋଳ ମୋ ଶେଷ ଠିକଣା
ମୃତ୍ୟୁର କୋଳେ ମୁଣ୍ଡ ରଖି ମୁଁ ଯେ
ନୀରବେ ପଡ଼ିଲି ଶୋଇ
ସ୍ଵପ୍ନ ରାଇଜରେ ପାଦ ଥାପିଲି ସଧୀରେ
ନୂଆ ଏକ ଜନ୍ମ ପାଇ