STORYMIRROR

Jitendra Seth

Abstract

2  

Jitendra Seth

Abstract

ମୃତ୍ୟୁ

ମୃତ୍ୟୁ

1 min
181

ଜୀବନ ଜାତକେ           ଏକ ହିଁ ରହସ୍ୟ

        ମୃତ୍ୟୁ ନାମ ଗୋଟି ତାର

ମରଣ ଆଗରେ            ନାହିଁ ପଟ୍ଟାନ୍ତର

          କିଏ ପର ଅପଣାର


ସବୁ କିଛି ସିଏ           ଧୋଇ ନେଇଯାଏ

         ଏକା ଥରକରେ ଆସି

କାଳ କବଳରୁ             ମୁକୁଳି ନାହାନ୍ତି

         ନର ନାରୀ ମୁନି ଋଷି 


ପଶୁ ପକ୍ଷୀ ଠାରୁ           ବୃକ୍ଷ ଲତା ଯାଏ 

          କାଳର କବଳେ ବନ୍ଧା

ଆସିଲେ ସମନ            ଯିବାକୁ ପଡ଼ିବ

          ଥାଉ ଯେତେ କାମ ଧନ୍ଦା


କଞ୍ଚା କି ପାଚିଲା           ଯାହା ହେଇଥାଉ

          ସବୁ ତା' ଆଗେ ସମାନ

ତା' ପାଖରେ ନାହିଁ            ପାତର ଅନ୍ତର

          ଧନୀ ହେଉ ଅବା ଦୀନ


ଜାତି ଭେଦାଭେଦ           ମାନେ ନାହିଁ ସିଏ

          ମାନେ ନାହିଁ ଦିନ ରାତି

ଯାହାର ପୁରିଲା             ସମୟ ନିର୍ଘଣ୍ଟ

         ନେଇ ଯାଏ ହାତାହାତି


ମୃତ୍ୟୁ ଅଟେ ଧୃବ             ଅଚଳ ନିଶ୍ଚଳ 

           ଆସିବ ସେ ସୁନିଶ୍ଚିତ 

ଜନମ ସାଙ୍ଗରେ             ମରଣ ବି ଲେଖା 

          ଏଇତ ଅଟେ ଜଗତ 


ସବୁ ଜାଣି ଶୁଣି               ତଥାପି ମଣିଷ 

          କରେ କେତେ ପାପ କର୍ମ 

ନିଜ ସ୍ଵାର୍ଥ ପାଇଁ               ଭୁଲି ଯାଏ ସିଏ 

          ସତ୍ୟ ନ୍ୟାୟ ବିଧି ଧର୍ମ 


ଆସିଲା ବେଳକୁ               ଆସିଥିଲୁ ଏକା

           ଯିବୁ ପୁଣି ଏକା ହୋଇ

ଏକଥାକୁ କାହିଁ               ଦେଉଛୁ ପାସୋରି

          ଆରେ ମୋ ମଣିଷ ଭାଇ 


ପ୍ରତି ମୁହୂର୍ତ୍ତରେ               ମରଣ ତୋ ସାଥେ 

            ଛାଇ ପରି ରହିଅଛି 

ଏବେ ବି ସମୟ                ଅଛି ତୋର ପାଖେ 

            କରିଯା ଭଲ ତୁ କିଛି


ମରିଗଲା ପରେ                 ସେତକ ସନ୍ତକ 

             ରହିଯିବ ଦୁନିଆରେ 

ନହେଲେ ବିଶାଳ               ଦୁନିଆ ବୁକୁରେ 

            କାହାକୁ କିଏ ପଚାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract