ମୃତ୍ୟୁ ତୁମେ ଧ୍ରୁବ ସତ୍ୟ
ମୃତ୍ୟୁ ତୁମେ ଧ୍ରୁବ ସତ୍ୟ
ଅଚାନକ
ଅଜଣା ଅତିଥି ଭଳି
ପଶିଆସ ତମେ
ଚକ୍ଷୁକୁ ଚକିତ କରି
ପାଦ ତଳୁ
ଧସିଯାଏ ମାଟି
ଲାଗେ
ଆକାଶଟା ପଡୁଚି କି ଖସି ।
ତମେ ଏତେ
ନିର୍ଦ୍ଦୟ ସତରେ କେମିତି ?
ବୁଝ ନାହିଁ
ସ୍ନେହ, ପ୍ରେମ, ମମତାର ଡୋର
ଭାଇ ବନ୍ଧୁ ସଂପର୍କ ରକ୍ତର,
ଖୁବ୍ ସଚେତନ ତମେ
ରଖିବାକୁ ହିସାବ
ବର୍ଷ ମାସ ଦିନ ଦଣ୍ଡର ।
ଖୁବ୍ ନିଖୁଣ, ତୀକ୍ଷ୍ଣ
ତମର ନଜର
କାଳେ ଏପଟ ସେପଟ ହେଇଯିବ ତୁମ
ଚିତ୍ରଗୁପ୍ତ ପାଞ୍ଜିର
ସେଇ ନିଷ୍ଠୁର ଗାର ।
ହେଲେ ତମେ ବି
ହାର୍ ମାନିଥିଲ ଦିନେ
ପୂରଣ କରିବାକୁ
ମହାସତୀ ସାବିତ୍ରୀଙ୍କ
ଅକାଟ୍ଯ ବର,
ତମକୁ ବିବଶ କରିଥିଲା
ବାଳକ ନଚିକେତାଙ୍କର
ଜିଦ୍ ର ସ୍ବର ।
ଆଉ କେବେ କେବେ
ତମେ ବି ହାର୍ ମାନ
ଚମକି ବି ପଡ
ଦେଖିଦେଲେ ନିବିଡ଼ ସଂପର୍କ
ଭକ୍ତ ଓ ଭଗବାନଙ୍କର
ନିର୍ଦ୍ଦୟ ପ୍ରାଣ ତୁମର ପାଲଟିଯାଏ
ଦୟାର ସାଗର ।
ହେ ମୃତ୍ୟୁ !
ହେଇପାର ତୁମେ ନିଷ୍ଠୁର
ତଥାପି ଜନ୍ମ ପାଇଁ
ତୁମେ ଧ୍ରୁବ ସତ୍ୟ
ଅନିତ୍ୟ ଏ ସଂସାର ।
ଆସିବତ ନିଶ୍ଚେ
ହେଲେ
ଟିକେ ଦେଖି ଚାହିଁ ଆସ
କାହାର ଆଶା ଭରସା
ଆଶ୍ବାସନାକୁ
ହଜେଇ ଦିଅନି,
କାହାକୁ ଅସରନ୍ତି
ଲୁହ ଭିତରେ
ବଞ୍ଚିବାକୁ ଛାଡି ଦିଅନି ,
ପାପ ଓ ପୁଣ୍ୟର
ଦୋଛକି ଭିତରେ
ଟିକେ ବିଚାର ତ କର ।