ମୃତ ସ୍ମୃତି
ମୃତ ସ୍ମୃତି
କବର ଭିତରୁ ମୃତ ସ୍ମୃତିସବୁ ହାତ ଠାରି ଡ଼ାକୁଥାଏ
ଗୋଲାପୀ ମନର ରକ୍ତିମ ଆଭାରେ ଲୁହ ହୋଇ ଝରିଯାଏ
ତଥାପି ହୃଦୟେ ତୁମ ସ୍ମୃତିଶିଖା ଲିଭି ଲିଭି ଜଳୁଥାଏ
ଶୀତୁଆ ସଂଧ୍ୟାରେ ଉଷୁମ ଲୁହର ସ୍ପର୍ଶରେ ବତୁରିଯାଏ
ସ୍ମୃତିର ପ୍ରଦୀପ ଲିଭିଗଲା ପରେ ଆଖିରୁ ନିଦ ହଜାଏ
ମୃତସ୍ମୃତି ଧାରେ ହୃଦୟ ସ୍ପନ୍ଦନ ଧୀରେ ଧୀରେ ବଢୁଥାଏ
ବିଦୀର୍ଣ୍ଣ ମନଟି ନିଦ ବିକି ବିକି ସ୍ଵପ୍ନ କିଛି କିଣୁଥାଏ
ସ୍ଵପ୍ନର କୋଳରେ ମୁଣ୍ଡ ଗୁଞ୍ଜି ଦେଇ ରାତିକୁ ଭୁଲାଇଦିଏ
ପୂର୍ବ ସ୍ମୃତିକୁ ପାଶୋରୀ ନୂଆ ଜୀବନକୁ ଆଦରେ କୋଳେଇ ନିଏ
ତଥାପି ସ୍ମୃତିର ଅଭୁଲା ମୁହୁର୍ତ୍ତ ମନୁ କି ପାଶୋରି ଯାଏ ??
ମୃତ ସ୍ମୃତିସବୁ ସପନରେ ଆସି ନିଦକୁ ଚୋରେଇ ନିଏ
ରାତ୍ରୀର ଆକାଶେ ମଲାଜହ୍ନ ସାଜି ଦୂରେ ରହି ହସୁଥାଏ
ନୀରବ ପ୍ରହରେ ଶୂନ୍ୟତାକୁ ଭାଙ୍ଗି ଚୁପି ଚୁପି ଗୀତ ଗାଏ
ଶେଫାଳି ପରି ସେ ଫୁଟି ନୀରବରେ, ନୀରବରେ ଝରି ଯାଏ
ମୃତସ୍ମୃତିର ଜୁଇରେ ନିତି ଜଳେ ମୁଁ ଯେ, ଜଳି ପୁଣି ଲିଭିଯାଏ
ମୃତସ୍ମୃତିର ସହରେ ନିତି ହଜେ ପୁଣି ନିଜକୁ ମୁଁ ଖୋଜି ପାଏ ।।