ମୋତେ ଦୁଃଖ ଦେଇ ହସୁଛ କେତେ
ମୋତେ ଦୁଃଖ ଦେଇ ହସୁଛ କେତେ
ମହକୁଛି ଫୁଟି ମଲ୍ଲୀକା କୁସୁମ
ବାସେ କେତକୀ ସୁଗନ୍ଧ
ବହୁଅଛି ଧୀର ମଳୟ ସମୀର
ସୁଶୀତଳ ମୃଦୁ ମନ୍ଦ ।
ନବୀନ ପଲ୍ଲବେ କୋମଳ ଲତିକା
ଦିଶେ ସବୁଜ ସୁନ୍ଦର
ଅଙ୍କୁରିତ ଚୂତ ବକୁଳ ମୁକୁଳ
ଚହଟେ ବାସ ମଧୁର ।
ମଧୁଗନ୍ଧ ଲୋଭେ ଫୁଲରୁ ଫୁଲକୁ
ଉଡିବୁଲେ ମଧୁକର
ଗୁଞ୍ଜେ ମୁଖରାବ କୁହୁକୁହୁ ସ୍ବନ
କୋକିଳର ହର୍ଷ ରୋଳ ।
ଋତୁରାଜନଙ୍କ ଶୁଭ ଆଗମନେ
ଉଚ୍ଚାଟେ କାନ୍ତା ହୃଦୟ
ଅନୁସରି ପଥ କାନ୍ତ ଅଭିସାରେ
ହୁଅଇ ମନ ଅଥୟ ।
ଅନୁରାଗ ଭରି କାନ୍ତକୁ ଉତ୍ସୁକେ
ଜଣାଇ ବିରହ ବ୍ଯଥା
କରେ ଅଭିମାନ ମାରେ ଆଡରୁଷା
କହେ କାନ୍ତା ଶ୍ଳେଷେ କଥା ।
କହେ ସେ ବିଷାଦେ ରହିଣ ପ୍ରବାସେ
ଭୁଲିଗଲ ସବୁକିଛି
ମୋତେ ଦୁଃଖ ଦେଇ ହସୁଅଛ କେତେ
ଭାଗ୍ଯ ମୋ ବାମ ଭାବୁଛି ।

