ମୋ ଉତ୍କଳ
ମୋ ଉତ୍କଳ
ଓଡ଼ିଶା ଐତିହ୍ୟ ଓଡ଼ିଆ ଭାଷା
ଭାରତେ ପ୍ରସିଦ୍ଧ ଭାରି ସରସା
ଉତ୍ତର ଦକ୍ଷିଣ ମିଳନ ସ୍ଥଳିଏ
ସ୍ୱତନ୍ତ୍ର ଏହାର ଲିପି ବ୍ୟବସ୍ଥା ।
ଶୋଭାପାଆନ୍ତି ଜଗନ୍ନାଥ ହୃଦେ ଯାହାର
ଉତ୍କଳ ଜନନୀ ସିଏ ପାଦ ଧୁଏ ସାଗର
ବୌଦ୍ଧ ଜୈନ ଗାଣପତ୍ୟ ଶାକ୍ତ ଶୈବ ସୌର
ପ୍ରତୀକ ସେ ଅପାଣିପାଦ ସର୍ବ ସମନ୍ୱୟର ।
ଉତ୍କର୍ଷ କଳାର ଏ ଆମ ରାଜ୍ୟ
ଉତ୍କଳ ନାମରେ ଜଗତେ ଖ୍ୟାତ
କୋଣାର୍କର କାରୁ ଓଡ଼ିଶୀ ନୃତ୍ୟ
ବିଶ୍ୱ ଦରବାରେ ସଦା ବନ୍ଦିତ ।
ସ୍ୱତନ୍ତ୍ର ପ୍ରସିଦ୍ଧି ରଖେ ଓଡ଼ିଶାର ଛଉନୃତ୍ୟ ଗୋଟିପୁଅ ରଣପା
ସମ୍ବଲପୁରୀ ବାଘନାଚ ଘୋଡ଼ାନାଚ କେଳାନାଚ ଘୁମୁରା
ଚାଙ୍ଗୁନାଚ କଣ୍ଢେଇନାଚ ଯୋଡ଼ିଶଙ୍ଖର ମାଧୁର୍ଯ୍ୟ
ଗାଁ ସନ୍ଧ୍ୟାକୁ ମୋହୁଥିଲା ବାଦିପାଲା ସଂକୀର୍ତ୍ତନ ଧୁଡୁକି ଦାସକାଠିଆ ।
ରାଜାଠାରୁ ପ୍ରଜା ଦିଅନ୍ତି ପ୍ରାଣ
କଳିଙ୍ଗ ଭୂମିର ମହତ ମାନ
ଦୟା ସାକ୍ଷୀ ଏଠି ରକତ ରାଣ
ଜାତି ସ୍ୱାଭିମାନ ଗାଏ ଧଉଳି ସ୍ୱନ ।
ଆଗଙ୍ଗାଗୋଦାବରୀ ହ୍ରଦ ସମୁଦ୍ର ନଦୀ ଝରଣା ବଣ ପର୍ବତ
ଖଣ୍ଡଗିରି ଉଦୟଗିରି ମହେନ୍ଦ୍ରଗିରି ଚନ୍ଦ୍ରଗିରି
କହନ୍ତି ଗାଥା ସମ୍ରାଟ ଖାରବେଳଙ୍କ ବୀରତ୍ୱ
ଠାକୁର ରାଜା ପାଳୁଥିଲେ ପ୍ରଜା ନିଜକୁ ମଣି ଜଗନ୍ନାଥଙ୍କ ରାଉତ
ସମୃଦ୍ଧ ଅତୀତ ସାକ୍ଷୀ ଲଳିତଗିରି ରତ୍ନଗିରି ବୌଦ୍ଧ ଭଗ୍ନସ୍ତୂପର ଗୁରୁତ୍ୱ ।
ପ୍ରୀତିର ନିର୍ଝର ଉଡ୍ର ମାଟି ପାଣି ପବନ
ମାଘ ସପ୍ତମୀରେ ସୁରୁଜ ଦର୍ଶନ ଚନ୍ଦ୍ରଭାଗାରେ ସ୍ନାନ
ଆଦି ଅଧିବାସୀ ନୃତ୍ୟ ବାଦ୍ୟ ସଙ୍ଗୀତ ଗାନ
ବଖାଣେ କୋଶଳ ଖଣ୍ଡର ସରଳ ହୃଦୟ ବୀର ଜୀବନ ।
ଚଷା ପୁଅ ବୀର ପାଇକ ଦାନ
ପଖାଳ କଂସାରେ ଏଠି ହସେ ଜୀବନ
ବାରମାସେ ତେର ଯାତରା ଧର୍ମ କର୍ମର ସ୍ଥାନ
ଅତିଥି ଅଭ୍ୟାଗତ ସେବାକୁ ମଣେ ସ୍ୱର୍ଗ ସମାନ ।
ରଜପର୍ବ ନୂଆଖାଇ ଧନୁଯାତ୍ରା ମାଣବସା ଆମ ବିଧିବିଧାନ
ଗହ୍ମା ପଣା ଦୋଳ ଝୁଲଣ ଚନ୍ଦନ ଗୁଣ୍ଡିଚାଯାତ୍ରା ଭକ୍ତ ପାଇଁ ନିଦାନ
ଦଶହରା ମହାଳୟା ଦୀପାବଳି ବାଲିଯାତ୍ରା ହର୍ଷ ଉଲ୍ଲାସ ଗହନ
ପରିବାରକୁ ସୁଦୃଢ଼ କରେ ଶୀତଳଷଷ୍ଠୀ କୁଆଁର ପୁନେଇ ଖୁଦୁରୁକୁଣୀ ଅନନ୍ତ ବ୍ରତ ପ୍ରଧାନ ।
ରଜଦୋଳି ବାଗୁଡ଼ି ଖେଳ ପାନ ଦିଆନିଆ
ଫଗୁଖେଳେ ଦୋଳମେଳଣେ ହସଇ ପଡ଼ିଆ
ଯାତ୍ରାପାର୍ଟି ରଙ୍ଗମଞ୍ଚ ଜନରଞ୍ଜନେ ପ୍ରତି ପର୍ବେ ଠିଆ
ମଲ୍ଲଯୁଦ୍ଧ ପାଇକ ଆଖଡ଼ା ପିଠାପଣାରେ ବାଇଆ ।
ବନ୍ଧୁଘରକୁ ବୁହା ହୁଅଇ ଛେନାପୋଡ଼ କ୍ଷୀରଗଜା ଲବଙ୍ଗଲତା ଫେଣୀ
ଆଜି କାଲି ବି ଭୋଜିରେ ମିଳେ ମାଲପୁଆ ରସଗୋଲା କ୍ଷୀରି ସରପୁଳି
ପୁଣ୍ୟ ପର୍ବରେ ଭୋଗ ଲାଗଇ ମଣ୍ଡାପିଠା ପୋଡ଼ପିଠା ଚକୁଳି ଅଟକାଳି
ପ୍ରଥମାଷ୍ଟମୀରେ ତିଆରି ହୁଏ ଆରିସା କାକରା ଏଣ୍ଡୁରି ପତ୍ରପିଠା ସାଥେ ଥାଏ ଛେନାଝିଲ୍ଲି ।
ପିନ୍ଧା ଦୋସଡ଼ା କୁର୍ତ୍ତା ଉତ୍ତରୀ ଉତ୍ସବେ ଦିଏ ଶୋଭା
ସମ୍ବଲପୁରୀ ଶାଢ଼ୀ ବାନ୍ଧ ବମକାଇ ପାଟ
ମନଲୋଭା ଖଣ୍ଡୁଆ ମାଣିଆବନ୍ଧ ପୁରୀ ପଟ୍ଟଚିତ୍ର
ନିତିଦିନିଆ ଖୋର୍ଦ୍ଧା ଗାମୁଛା ମସରାଜି ପିପିଲି ଚାନ୍ଦୁଆ ଶ୍ରେଷ୍ଠ ।
ଦରିଆ ବୋଇତେ ଜାଭା ବୋର୍ଣିଓ ଯାତ୍ରା
ସାଧବ ସମୃଦ୍ଧି ରହସ୍ୟ ଉତ୍କଳ ବାଣିଜ୍ୟ ପ୍ରଥା
ଇତିହାସ ଗାଏ ମହାନଦୀ ବାରବାଟୀର ଗାଥା
ପୂର୍ବ ଗଉରବେ ଓଡ଼ିଆ ସଦା ଟେକଇ ମଥା ।
ପ୍ରକୃତି ରାଣୀର ଶୋଭା କି ଅନୁପମ
ଈରମ ଗାଉଛି ବଳିଦାନର ଧର୍ମ
ସାହିତ୍ୟ ସାଧନେ ମାଟି ସପୁତ ଶ୍ରମ
ବାନ୍ଧିଛି ଉତ୍କଳ ଭୂଇଁ ବାଛି କରମ ।
ଶଙ୍ଖକ୍ଷେତ୍ରେ ବିରାଜିତ ଜଗା ବଳିଆ ବିମଳା ଲକ୍ଷ୍ମୀ
ଶକ୍ତି ରୂପେ ପ୍ରତିଷ୍ଠିତ ବିରଜା ଚର୍ଚ୍ଚିକା ଭଟ୍ଟାରିକା ଭଗବତୀ ସମଲେଇ
ଶୈବ ପୀଠେ ଅଧିଷ୍ଠିତ ଲିଙ୍ଗରାଜ ଧବଳେଶ୍ୱର ଚନ୍ଦ୍ରଶେଖର ଗୁପ୍ତେଶ୍ୱର ଖ୍ୟାତି
ଅନେକ ଦେବାଦେବୀ ପୂଜିତ ଉଡ୍ଡୀୟାନ ପରମ୍ପରା ନେଇ ।
ଓଡ଼ିଆ ହୃଦୟେ ଏଠି ପୁରୁଷୋତ୍ତମ ମିଳେ
ଶାନ୍ତି ମୈତ୍ରୀ ପ୍ରୀତିଭରା ଭ୍ରାତୃତ୍ୱ ବଳେ
ଉତ୍କଳ ଜନନୀ ଆମକୁ ଧରିଛି କୋଳେ
ସଭିଏଁ ହସନ୍ତି ଦେଖ ଖୁସିର ମେଳେ ।