ମୋ ମତରେ ଧାର୍ମିକ
ମୋ ମତରେ ଧାର୍ମିକ


କିଛି ମଣିଷ ଖୋଜନ୍ତି ନିଜ ପରିଚୟ
ଶୁନ୍ୟତାର ପାରାବାରେ
ନପାଇ ସନ୍ଧାନ, କହନ୍ତି ଅସାର ଜୀବନ
ଯନ୍ତ୍ରଣାର ଧୂଆଁ ଧାରେ ।
କିଛି ମଣିଷ ଏଇ ଜଗତରେ କାମ
କରି ଚାଲନ୍ତି ନିସ୍ବାର୍ଥରେ,
କିଛି ମଣିଷ ନଥାଉ ସ୍ୱାର୍ଥ, କାର୍ଯ୍ୟରତ
ଖାଲି ପର ଅହିତରେ ।
କିଛି ମଣିଷ ନିଜସ୍ୱାର୍ଥ ବିନା ନଥାଏ
ଅନ୍ୟ କାହାର ଚିନ୍ତାରେ
କିଛି ମଣିଷ ନିଜସ୍ୱାର୍ଥ ସହିତ ଅନ୍ୟର
ହିତ ପାଇଁ ମଧ୍ୟ କାର୍ଯ୍ୟ କରେ ।
ମନେ ପଡେ ଭୀମ ଭୋଇଙ୍କର ସେହି
ମହାନ୍ ମହତ୍ତ ବାଣୀ
ମୋ ଜୀବନ ପଛେ ନର୍କେ ପଡିଥାଉ
ଜଗତ ଉଦ୍ଧାର ହେଉ ର କଥାମଣି ।
ନଭୁଲ ସେ ସତ୍ୟ, ସମୟର ଚକ ଚାଲିଛି,
ସରି ସରି ଆସେ
ଆୟୁ
ନଥିବ ଏ ମିଥ୍ୟା ଯୌବନର ଛିଟା, ଲିଭି
ଲିଭି ଯାଇ ବୟସ ସାଧିବ ଦାଉ ।
ଜୀଇଁବାକୁ ଦରକାର ହୁଏ, ପଡୋଶୀର
ସାହାଯ୍ୟ ଓ ସହଯୋଗ
ସାହାଯ୍ୟ ସହଯୋଗରେ ମନେ ଆସେ
ଖୁସି, ତାକୁ କର ବିନିଯୋଗ ।
ମଙ୍ଗଳ ଚିନ୍ତନ, ଦୟା ଦାନ କ୍ଷମା ଶ୍ରେଷ୍ଠ
ଅଳଙ୍କାର, ତାହା ମଣିଷତ୍ୱ
ମାନବୀୟ ଗୁଣେ, ବିପଦ କାଳରେ ସାହାଯ୍ୟ
ର କର୍ମ କର୍ତ୍ତବ୍ୟ ଅଟେ ତ ବନ୍ଧୁତ୍ୱ ।
ସେ ବନ୍ଧୁତ୍ୱରେ ପରସ୍ପର ମଧ୍ୟେ ଭାଵ ବିନିମୟ
ସୁଖ ଦୁଃଖର କାହାଣୀ
ଶୂନ୍ୟ ଅସାର ଭାବୁଥିବା ସଂସାରଟି ପୂର୍ଣ୍ଣତା ଦିଏ
ସହଯୋଗ ଭାଵ ଘେନି ।
ପରୋପକାରୀ, ମୋ ମତରେ, କେବଳ ଧାର୍ମିକ
ଅଟଇ ଏହି ସଂସାରରେ
ସାହାଯ୍ୟ କରିବା ମନୋବୃତ୍ତିର ମଣିଷକୁ ସମାଜ
ଦେବତା ବୋଲି ପୂଜା କରେ ।