ମୋ ମୌନତାରେ
ମୋ ମୌନତାରେ
ମଉନେ ବସି ମୁଁ ଭାବୁଛି ତୁମକୁ
ଝୁରୁଛି ତୁମକୁ ଏକା
ତୁମ ସ୍ମିତ ହାସ୍ୟ ଚନ୍ଦ୍ର ବଦନଟା
ଆଖି ଆଗେ ଦିଏ ଦେଖା||
ବାର ବାର ମୋର ମନେ ଭ୍ରମ ଆସେ
ଜାଳି ପୋଡି ଯାଏ ହିଆ
ସତେକି ମୋ ଆଗେ ଠିଆ ହୋଇଅଛ
ହସକୁରୀ ପ୍ରାଣପ୍ରିୟା ||
ତୁମର ଗୋଲାପି ଓଠର ଦେହରେ
ତୁମ ସ୍ମିତହସରେଖା
ମୃଗ ନୟନରେ ଚୋରା ଚାହାଣୀରେ
ସ୍ବପ୍ନ ମାଦକତା ଲେଖା||
ମୋ ଚାରିପାଖରେ ନିରବ ନିସ୍ତବ୍ଧ
ଶୂନଶାନ ପରିବେଶ
ପବନେ ସତେକି ଭାସିଆସୁଅଛି
ତୁମ ମନଖୋଲା ହସ ||
ପବନ ବୀଣାରେ ଝଙ୍କୃତ ହୁଅଇ
ତୁମ ସୁମଧୁର ଗାନ
ରୁଣୁଝୁଣୁ ତୁମ ପାଦର ନୂପୁର
ବାଜେ ପାଦର କଙ୍କଣ ||
ଉଦାସୀ ତଟିନୀ ବିଦଗ୍ଧ ପ୍ରାଣରେ
ଗାଉଛି ବିରହ ଗାଥା
ବିଦଗ୍ଧ ସାଗର ଉତ୍ତାଳ ତରଙ୍ଗେ
ବେଳାଭୂମେ ପିଟେ ମଥା ||
ଚକ୍ରବାକ ମନ ହେଉଛି ଦହନ
ଅଭିଶପ୍ତ ତା ଜୀବନ
ଚକ୍ରବାକୀ ମନ କିସ ହେଉଥିବ
ବିଳପି ଉଠେ ତା ପ୍ରାଣ ||
ସ୍ମୃତି ଆକାଶେ ମୋ ମନ ଉଡିବୁଲେ
ମେଘମାଳା ଦେହେ ଭାସି
ତୁମର ସ୍ମୃତିର ଚପଳା ଚମକେ
କ୍ଷଣକେ ଉଠେ ଝଲସି||
ମରାଳ ମରାଳି ଆକାଶେ ଉଡନ୍ତି
ଦେଖେ ମୁହିଁ ଏକା ବସି
ମୋର ମୌନତାରେ ତୁମ ସ୍ମୃତିରାଜି
ଧସି ହୋଇ ଆସେ ପଶି ||
ମନେ ମନେ ମୁହିଁ କୁରୁଳି ଉଠଇ
ଯେତେବେଳେ ଦିଅ ହସି
ସଯତ୍ନେ ଗଢିଛି କେଉଁ କାରିଗର
ତୁମ ରୂପ ତାରକସି ||
ସହସା ଆସିଲା ଉତ୍ତାଳ ଜୂଆର
କରିଦେଲା ମୋତେ ସିକ୍ତ
ମୌନତାରେ ମୋର ପୂର୍ଣଛେଦ ଟାଣି
କଲା ମୋତେ ପ୍ରକୃତିସ୍ଥ ||