ମୋ ମାଆକୁ ଚିଠି
ମୋ ମାଆକୁ ଚିଠି
ଆକାଶି ଆକାଶି ଦେହରେ ତୋହର
କଳା କଳା ଛାପା ଚିହ୍ନ,
ମୟୁର କଣ୍ଠିଆ ବେକଟି, ସୁନ୍ଦର
ନାଲି ରଙ୍ଗ ପାଦ ପଦ୍ମ। [୧]
କୁନି ମୁହଁଟିକୁ ଟିକି ଧଳା ଥଣ୍ଟ
କେଡେ ସୁନ୍ଦର ମାନୁଛି,
ଫୁଲିଲା ଆଖିରେ କଳା ବଡ ଡୋଳା
ମନକୁ ମୋହି ନେଉଛି । [୨]
ଘୁମୁରି ପାରା ତୋ ସାଥି ହେବାପାଇଁ
ଲୁଚି ଘରୁ ଆସିଅଛି,
ହେଲେ ତୁ ମୋ ଆଡେ ହରଷେ ନ ଚାହିଁ
ମୁହଁ ବୁଲେଇଛୁ ବସି ? [୩]
ଗଲା ବରଷଠୁ ମୋ ମାଆ ଯାଇଛି
ଆକାଶର ତାରା ହୋଇ,
କାନ୍ଦି କାନ୍ଦି କେତେ ବିକଳ ମୁଁ , ହେଲେ
ସିଏ ଫେରି ଆସୁନାହିଁ । [୪]
ମୋ ମନ ନେବାକୁ ବାବା ମୋର ଗୋଟେ
ନୂଆ ମାଆ ଦେଲେ ଆଣି
,
ହୁଉଟୁ ଝୁଉଟୁ ମାଡ ମାରି କହେ
"ବାବାଙ୍କୁ ତୁ କହିବୁନି" । [୫]
କହିଲୁରେ ମିତ! ନିଜ ମାଆ ପରି
ଦୁନିଆଁରେ କିଏ ହେବ,
ନିଜକୁ ପାଶୋରି ସନ୍ତାନ ପାଇଁକି
ହସି ହସି ଜୀଉଁଥିବ ? [୬]
ଆଈ କହୁଥିଲେ ତାଙ୍କ ପିଲାଦିନେ
ଡାକ ବାଲା ଥିଲେ ପାରା,
ବାରତାକୁ ନେଇ ବହୁ ଦୂରେ ଯାଇ
ପହଞ୍ଚାଉଥିଲେ ପରା । [୭]
ତୋ'ପାଇଁ ଆଣିଛି ଗହମର ଦାନା
ପେଟ ପୂରା ଖାଆ ବସି ,
ଖାଇସାରି ଦୂର ଆକାଶକୁ ଯାଇ
ମାଆକୁ ଦେବୁ ମୋ ଚିଠି । [୮]
"ମାଆଲୋ ମାଆ, ତୁ ମତେ ଏକା ଛାଡ଼ି
କେମିତି ପାରୁଛୁ ରହି,
ସାଥେ ନେଇ ଯାଆ ତୋ ପାଖେ ରହିବି
କୁନି ତାରା ଟିଏ ହୋଇ" । [୯]