STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମୋ ଘରଣୀ ମୋ ଘରରାଣୀ

ମୋ ଘରଣୀ ମୋ ଘରରାଣୀ

2 mins
5


ସ୍ତ୍ରୀକୁ ମାଇକିନିଆ ବୋଲି

   କୁହନ୍ତି ଗାଆଁ ଲୋକେ,

କେଣେ ଗଲା ଏ ମାଇକିନିଆ

   ଗେରସ୍ତ ତାକୁ ଡାକେ।

ମାଇକି ଆଉ‌ ନିଆଁ ମିଶିଲେ

   ମାଇକିନିଆ ହୁଏ,

ମାଇକି ଭଳି ଯେ ହାଲ୍ଲା କରି

   ହୃଦୟ ଜାଳୁଥାଏ।

ଘରଟା ସାରା ରାଉ ରାଉ ସେ

   ସତେ ଡାମରା‌ କାଉ,

ମୁହଁଟା ତାର ଜଳିଲା ନିଆଁ

    ଜଳୁଛି ଦାଉ ଦାଉ।

କଥା କଥାକେ ଘରୁ ବାହାରି-

    ଯା' ସେ ମୋତେ କୁହେ,

ବାହାରି ଯା' କହେ ବୋଲି ତା'

    ନାଁଟି ଭାର‌୍‌ଯ୍ଯାଟିଏ।

ଗୃହରେ ଯିଏ କଥାରେ ହାଣି 

    ମୋତେ ଘାଇଲା କରେ,

ତେଣୁ ଗୃହିଣୀ ସ୍ତ୍ରୀକୁ ବୋଲି

    ଡାକେ ମୁଁ ଶରଧାରେ।

ଗୃହରେ ଋଣୀ ମୁଁ କିଣି କିଣି

    ତାର ଫେସନ‌ ଚିଜ,

ତେଣୁ ଗୃହିଣୀ ସେ ଘର ରାଣୀ

   ସର୍ବଦା ତା'ର ରଜ।

ଝାଡ଼ୁ ଦେଖେଇ ଯିଏ ସେ ମୋର 

   ନିତି ପତନ ଚାହେଁ,

ପତନ ଚାହୁଁଥିବାରୁ‌ ପତ୍ନୀ

   ମୁଁ ତାକୁ କହୁଥାଏ।

ଅଧାରୁ ବେଶୀ ଅଙ୍ଗକୁ ମୋର

   ଜଖମ କଲା ଯେଣୁ,

ତେଣୁ ସିଏ ମୋ ଅର୍ଦ୍ଧାଙ୍ଗିନୀଟି

   ନୁହେଁ ସେ ଏଣୁତେଣୁ।

ଦିନ ରାତି ଯେ ଶୋଉଛି ଖାଲି

   ନାଇରେ‌ ତେଲ ଦେଇ,

ସେ ଲାଗି ସେ ମୋ ନାୟୀକା ସିଏ

   ନାୟକ ତାର ମୁହିଁ।

ମୋ ଘର ରାଣୀ ମାଲିକିଆଣୀ

   ଯେଣୁ ମୋହର ସ୍ତ୍ରୀ,

ତେଣୁ ଘରଣୀ ମୋ ହିରୋଇନି

   ବଜାରେ ଭାରି ଫ୍ରି।

ଜୀବନ ମୋର ଖାଉଛି ଝୁଣି‌

   ସବୁ ଟଙ୍କା ମୋ ନେଇ,

ତେଣୁ ସିଏ ମୋ ଜୀବନ ସାଥୀ

   ବାଧ୍ୟରେ କହେ ମୁହିଁ।

ସର୍ବଦା ମାୟା ଆଚରି ଯିଏ

   ମୋ ଆଗେ ମିଛ କୁହେ,

ମାୟା ଶବ୍ଦରୁ ମାଇପ ବୋଲି 

   ସଂସାର ଜାଣିଥାଏ‌।

ତା'ର ମୋର କଳି ଭିତରେ

   ସର୍ବଦା ତାର ଜୟ,

ତେଣୁ ସେ ଜାୟା‌ ମୋ ଛୁଆ ମା,

   ତାକୁ ମୋ ଭାରି ଭୟ।

ଆଉ ଗୋଟିଏ ନାମ ସ୍ତ୍ରୀର

   ତାହା ହେଉଛି ନ‌ଈ,

ରାଗିଲେ ସବୁ ସରାଗ ମୋର

   ଭସେଇ ନିଏ ସେହି। 

ମୋ ସ୍ତ୍ରୀର ଯେତିକି ସଂଜ୍ଞା

   ଆଜି ମୁଁ ଲେଖିଦେଲି,

ତା' ଆଗରେ କବିତା ଲେଖା 

    ଯାଏ ମୁଁ କାହିଁ ଭୁଲି।

ସେଦିନ ସ୍ତ୍ରୀ ଶବ୍ଦକୁ ନେଇ

    କବିତା ଲେଖୁଥିଲି‌,

ମାଇକିନିଆ ହାବୁଡ଼ରେ ମୁଁ

    ହଠାତ୍ ପଡିଗଲି‌।

ଛଡେଇ ନେଲା ମୋବାଇଲ ମୋ

    କବିତା ପଢ଼ି ଦେଲା,

ସ୍ତ୍ରୀ କବିତା ଶୀର୍ଷକ ଦେଖି

   ଝାଡୁରେ‌ ପିଟିଗଲା‌।

ହାଁ‌ ... ହାଁ.. ମୁଁ କହୁଛି ହେଲେ 

  ମୋଟେ‌ ସେ ମାନିଲାନି,

ଝାଡ଼ୁ ପାହାର ସାଙ୍ଗରେ ପୁଣି

  ଦେଶୀ ସାହିତ୍ୟ ବାଣୀ‌।

କହିଲା ଆଉ ଦେବନି କେବେ

   ମୋହରି ମୋବାଇଲ,

ମୋବାଇଲଟା କୁଆଡେ ତାର

   ଅଟ‌ଇ ସ‌ଉତୁଣୀ।

ଯାହାକୁ ମୁହିଁ ବିଭା ହେଲିରେ

   ଶାଢ଼ୀ ଓ ଶଙ୍ଖା ଦେଇ,

ସେହି ତ ମୋତେ ଖାଉଛି ନିତି

    କାଳ ସ୍ଵରୂପ ହୋଇ। 

ସ୍ବାମୀଙ୍କୁ ବୋଲକରା‌ ସଜାନ୍ତି‌

   ଏଭଳି ଯେତେ ନାରୀ,

ସତୀ ବୋଲାନ୍ତି ମିଛରେ‌ ଖାଲି 

   ସାବିତ୍ରୀ ବ୍ରତ କରି।

ସ୍ବାମୀଙ୍କୁ ନିତି ଗୋଡ଼ ମୋଡାନ୍ତି‌

   ସତେ ଚାକର‌ ପରି,

ବିଚରା ସ୍ଵାମୀ ସବୁ ଦେଇକି

   ହସୁଛି ଡରିଡରି‌ ।

କହି ରଖୁଛି ସମସ୍ତ ନାରୀ

   ମନ୍ଦ ନୁହଁନ୍ତି କେବେ,

କେତେକ ନାରୀ ବୋଧେ ଏବେବି‌ 

   ସୀତାଙ୍କ ପରି ଥିବେ। 

ସବୁ ଗେରସ୍ତ ନୁହଁନ୍ତି ମନ୍ଦ

    ଅଛନ୍ତି ବହୁ ଭଲ,

ହେଲେ ମୋ ଭଳି ଖରାପ ଯେତେ

    ହୁଅନ୍ତି କଲବଲ‌।

ତେଣୁ ସ୍ତ୍ରୀକୁ ସର୍ବଦା ଟେକ

   ସୁନ୍ଦରୀ ବୋଲି କୁହ,

ତା'ହାତ ରନ୍ଧାକୁ ପ୍ରଶଂସା କର

   ହାତଚାଟିକି‌ ଖାଅ।

ତେବେ ଯାଇ ଏ ସଂସାର ଗାଡ଼ି

    ଆଗକୁ ଯିବ ଗଡ଼ି,

ନଚେତ୍ ସ୍ତ୍ରୀ ବିରୋଧୀ ହେଲେ

   ଦୁଃଖ ଭୋଗିବ ଭାରି।

ଯେଉଁ ଲକ୍ଷଣ‌ ଥାଉ ପଛକେ

    ସ୍ତ୍ରୀଟି ଗୃହଲକ୍ଷ୍ମୀ,

ଉତ୍ତମ ବୁଝାମଣା ରଖିଲେ

   ସଂସାର ହେବ ସୁଖୀ।



Rate this content
Log in

Similar oriya poem from Comedy