ମୋ'ଗାଁଆ ସୁନା ମାଆ
ମୋ'ଗାଁଆ ସୁନା ମାଆ
ମୋ'ପରାଣ ମିତ ଜୀବନ ସଙ୍ଗାତ
ଟିକି ମୋର ସୁନା ଗାଁଆ
ତାଆ ଧୂଳି ମାଟି ଦେହରେ ବୋଳିଛି
ହୃଦୟେ ଲେଖିଛି ନାଁଆ ।
କୁଆଁକୁଆଁ ରାବ ତା'କୋଳେ ଆରମ୍ଭ
ତା'କୋଳେ ଜଳିବ ଚିତା
କୁହୁକ ମନ୍ତର କରିବ ନିଶ୍ଚୟ
ବିଲୀନ ହେବ ମୋ ସତ୍ତା ।
ଆଶା ଆକାଂକ୍ଷାର ପହିଲି ସପନ
ପ୍ରିୟ ଭିଟା ମାଟି ଗାଁଆ
ନବ କଳବରେ ସମୃଦ୍ଧି ପଥରେ
ଉଜ୍ଜୀବିତ ତାର ନାଁଆ ।
ଝାଟି ମାଟି ଘର ଇତିହାସ ତା'ର
ବଦଳି ଯାଇଛି ଚିତ୍ର
ତଥାପି ହସୁଛି ସ୍ବାଗତ କରୁଛି
ସାଜିଛି ସେ' ମନମିତ ।
ରଙ୍ଗବେରଙ୍ଗର ସୁସ୍ଥ ପରିବେଶ
ମୁକ୍ତାକାଶ ରଙ୍ଗମଞ୍ଚ
ପ୍ରତି ମୁହୂର୍ତ୍ତରେ ହସ ଭରିଦିଏ
ସକାଳ ହେଉ କି ସଞ୍ଜ ।
ନଦ ନଦୀ ହ୍ରଦ ଅବା କୃଷି କ୍ଷେତ୍ର
ସବୁତା ବିଭବ ରାଜି
ସଭିଏଁ ହସନ୍ତି ସତେ ମନ ଖୋଲି
ଭାବନା ରାଇଜେ ହଜି ।
ବିଲମାଳ ପାଟ ମୋ'ଗାଁ ଗୌରବ
ସବୁଜିମା ତା'ର ସାଥୀ
ଦୂର ହେଉ ପାଖ ସୌନ୍ଦର୍ଯ୍ୟ ସୌହାର୍ଦ୍ଧ୍ୟ
ଭରିଯାଏ ମନେପ୍ରୀତି ।
ମାଟି ମାଆ ଗାଁଆ ଲିପିବଦ୍ଧ ନାଁଆ
ଝଲସି ଉଠୁଛି ଚିତ୍ର
ହସୁ ସବୁଦିନ ଏଇମୋର ମନ
ହୃଦୟ ପରାଣ ମିତ୍ର ।
ଭୂଗୋଳ ପୋଥିରେ ନଥାଉ ପଛରେ
ସୀମା ସରହଦ ନାଁଆ
ଆଞ୍ଚଳିକ ଚିତ୍ର ସର୍ବଦା ବିଦିତ
ଗାଁଆ ମୋର ସୁନା ମାଆ ।