ମୋ ଗାଁ କୁ ବସନ୍ତ ଆସିଛି
ମୋ ଗାଁ କୁ ବସନ୍ତ ଆସିଛି
ଫାଲ୍ଗୁନର ନାଲି ସିନ୍ଦୂରରେ
ମଥାକୁ ସଜେଇ
ଚୈତ୍ରର ଫେନିଳ ଜ୍ୟୋତ୍ସ୍ନାରେ
ରୂପା ତାରା ଫୁଲପକା ଶାଢ଼ୀ ପିନ୍ଧି
ଅସୁମାରୀ ଅନୁଭୁତିର
ସ୍ନିଗ୍ଧ ତାରେ ନିଜକୁ ସଜାଇ
ପ୍ରୀତି ଭରା ମଳୟର ଆଖିରେ
କବିତା ର କଜ୍ଜଳ ଲଗେଇ
ଖିଆଲି ଝୁମନ୍ତା ପଲ୍ଲୀର ତନୟା
ମୃଦୁ ମୃଦୁ ହସୁଥିଲା ପରି
ମୋ ଗାଁ କୁ ବସନ୍ତ ଆସିଛି।
ତୋଫା ଗୋରା ରୂପା ଜହ୍ନ
ଆକାଶର ଓଠରେ ରଙ୍ଗ ମାଖି
ନୀରବତା ର ଚୋଉହଦୀ ଭିତରେ
ଦୀର୍ଘିତ ସାରା ଦିନ
ନିଛାଟିଆ ଗାଁ ଦାଣ୍ଡ
ହଳଦୀ ବସନ୍ତ ଉଡ଼େ
ଏ ଡାଳରୁ ସେ ଡାଳେ
ପୁଲ କିତ ଏ ପୃଥିବୀ
ସୂର୍ଯ୍ୟ ର ଆମୋଦ ରେ
ପ୍ରାଣ ଭରି ଗଢ଼ିବାକୁ
ବୟସର କୁରୁକ୍ଷେତ୍ରେ
ପ୍ରୀତିର ସୌଧପରି
ମୋ ଗାଁକୁ ବସନ୍ତ ଆସିଛି।
ବସନ୍ତ ଆସିଛି ବୋଲି
ମୋ ଗାଁ ରେ ଭରା ଜହ୍ନ ରାତି
ନଇପଠା ଗାଧୁଆ ତୁଠ ରେ
ଲୀନ ହୁଏ ଅସରନ୍ତି ସଂଜ ଓ ସକାଳ
ବଉଳର ଖୁସି ଖୁସି ବାସ୍ନା
ଓ ନିଛାଟିଆ ଭାବ
ଭରି ଦିଏ ସାରା ଅଙ୍ଗେ
ନୂତନ ରୋମାଞ୍ଚ।
ବସନ୍ତ ଆସିଛି ବୋଲି ମୋ ଗାଁ ରେ
କୋଇଲିର କୁହୁ କହୁ ସ୍ଵନ
ଗୁଣୁ ଗୁଣୁ ଭ୍ରମର ଗୁଞ୍ଜନ
ଧୂସରିତ ଦିଗବଳୟେ
ବେଳେ ବେଳେ ହସୁଅଛି
ବାଦଲ ଓ ଜହ୍ନ
ରାତ୍ରି ର ରୋଷଣୀ ସାଜି
ସବୁଜ ନକ୍ଷତ୍ର ଢାଳି ଦିଏ
ଅକ୍ଷତ ଛାତିର ଶିହରଣ।
ବସନ୍ତ ଆସିଛି ବୋଲି
ଛମ ଛମ ବାଜୁଛି
ଇସ୍ତାହାର ରେ ନୂପୁର
ବଉଳି ବଉଳି ଯାଉଛି ସହକାର
ସୋରା ସୋରା ବାଲିର ଝଡ଼ରେ
ହଳଦିଆ ପତ୍ରସବୁ
ଖସି ପଡୁଛି ଗଛରୁ
ବାସ୍ନାକୁଳ ମନର ଆକାଶେ
ଛାତିର ସ୍ପନ୍ଦନ କୁ ଚାପିଧରି
ନୂତନ ପିଢ଼ିର ସୃଷ୍ଟି ପାଇଁ
ଚିତିରା ପ୍ରଜାପତି ଟି ସଂବାଳୁଆ
ଭିତରେ ହଜିଗଲା ପରି
ଚୁମି ଯାଉଛି ବସନ୍ତ
କଣ୍ଟା ରୁ ଫୁଲକୁ ମରୁରୁ ମେରୁକୁ
ଭୂମି ରୁ ଭୁମା କୁ
ଘୃଣା ରୁ ପ୍ରେମ କୁ।
