ମୋ ଗାଆଁ
ମୋ ଗାଆଁ


ସଞ୍ଜ ନଇଁଗଲେ ରାତି ଆସିଯାଏ
ଆକାଶରେ ତାରା ଫୁଟେ
ସକାଳ ସମୀର ସୁରୁଜ ଆଲୁଏ
ଫୁଲର ମହକ ଛୁଟେ ।
ଅନତି ଦୂରରେ ବହେ ପ୍ରାଚୀ ନଈ
କୁଳୁ କୁଳୁ ଗୀତ ଗାଇ
ଶ୍ୟାମଳ ବନାନୀ ଚଉପାଶେଘେରି
ମୋ ଗାଆଁ ଅଛିଟି ରହି ।
ଅଙ୍କାବଙ୍କା ସେଇ ଧୂସର ପଥର
ସୀମା ସରହଦ ପରି
ସାଧନା ରେ ରତ ନୀରବ ତାପସ
ଗଭୀର ହୃଦୟ ଧରି ।
କାହିଁ କେତେକାଳୁ ବଟ ବୃକ୍ଷଟିଏ
ପଦୁଅଁ ପୋଖରୀ ଚାହିଁ
ବିହଙ୍ଗ କଣ୍ଠରେ ତାର ଇତିହାସ
କହୁଛି ଗମ୍ଭୀର ହୋଇ ।
ଦେଵ ଦେଵ ମହାଦେଵ ସିଦ୍ଧେଶ୍ୱର
ମୋ ଗ୍ରାମ ସିଦ୍ଧ ଦେବତା
ମୁକୁତା ଦେଇ ମୋ ଗ୍ରାମ ଠାକୁରାଣୀ
ଧରିଛି ସୁରକ୍ଷା ଛତା ।
ପ୍ରତିହାରୀ ସମ ଦୁଇ ଆମ୍ର ବୃକ୍ଷ
ଦେବାଳୟ ପ୍ରାଙ୍ଗଣରେ
ସୀମାନ୍ତ ସୁରକ୍ଷା ବାହିନୀ&nbs
p;ସତେକି
ଜଗିଛନ୍ତି ସୀମାନ୍ତରେ ।
ନାନାବିଧ ରଙ୍ଗ ବେରଙ୍ଗୀ ଫୁଲରେ
ମନ୍ଦିର ପ୍ରାଙ୍ଗଣ ପୁରେ
ପ୍ରଭାତୁ ଫୁଲର ପସରା ଉପରେ
ପ୍ରଜାପତି ହର୍ଷେ ଝୁଲେ ।
ଶ୍ୟାମଳିମା ଘାସ ଦୋଳିରେ ଖେଳଇ
ଶ୍ରାବଣୀ ସାଧବ ବୋହୂ
ପହିଲି ଆଷାଢ଼ ବାରିରେ ଭିଜାଇ
ଓଦା ପଣତ ର ଢେଉ ।
ଦିଅଁଙ୍କ ତଡ଼ାଗେ ଧବଳ କୁମୁଦ
ଫୁଟିଜଳେ ଢଳଢଳ
ଅମଳିନ ବିଧୁ ବିମଳ ଜୋଛନା
ଢାଳି ଦିଏ ଅବିରଳ ।
ଆମ୍ବ ବଉଳେ କୁଞ୍ଜେ ବସି ପିକ
ଫଗୁଣ ସଙ୍ଗୀତ ଗାଏ
ବୈଶାଖୀ ପବନ ସାଥେ କୃଷ୍ଣଚୂଡ଼ା
ଉଲ୍ଲସି ଶିହରି ଯାଏ।
ମୋ କ୍ଷୁଦ୍ର ପଲ୍ଲୀ ପ୍ରକୃତି- ସୁଷମା
ପଟାନ୍ତର ଯହିଁ ନାହିଁ
ମାଟି ଦାଣ୍ଡ ପରେ ସେନେହର ଫୁଲ
ନିରନ୍ତେ ବରଷୁଥାଇ।