ମୋ ଗାଆଁ
ମୋ ଗାଆଁ
ମୋ ଗାଆଁ ମାଟି ସରଗଠୁ ବଳି
ଲାଗେ ମୋତେ ଭାରି ଆପଣାର ,
ବିଶାଳ ଜଗତେ ଥିଲେ ବି ଯେଉଁଠି
ଝୁରେ ତା ପାଇଁ ପ୍ରାଣ ମୋର ।
ଜନ୍ମି ତା କୋଳେ ତା ପାଣି ପବନେ
ଗଢିଅଛି ଏହି ତନୁ ମନ
ସୁନ୍ଦର ତାହାର ବିଲ ବନ ଲତା
ସାଥୀ ପ୍ରିୟ ବନ୍ଧୁ ପରିଜନ ।
ତା ଆମ୍ର କୁଞ୍ଜର କୁହୁ କୁହୁ ତାନ
ଫୁଲ ବଉଳର ମଧୁର ବାସ୍ନା
ଯୂଈ ଯାଈ ମଲ୍ଲୀ ମଧୁର ମହକ
କରେ ମୋତେ ଭାରି ଆନମନା ।
ବିମଳ ପ୍ରଭାତେ ପକ୍ଷୀଙ୍କ କାକଳି
ଗୋଷ୍ଠ ଗୁହାଳରେ ହମ୍ବା ରବ
ଦେବଦେବୀ ପୀଠ ପୂଜା ଆରାଧନା
ଦରଶନ ଗୁରୁ ଲାଭ ଶୁଭ ।
ଉଦୟରୁ ଅସ୍ତ ଚଳନ୍ତି ସୂରୁଜ
ସମୟର ଚକ୍ର ଚିରନ୍ତନୀ
କଳକଳ ସଦା କରମ ଚଞ୍ଚଳ
ଜୀବନର ଗୁଞ୍ଜେ ମଧୁର ଧ୍ୱନି ।
ନିବିଡ଼ ବନ୍ଧନେ ସରବେ ଆବଦ୍ଧ
ନାହିଁ ମତାନ୍ତର ଆପଣା ପର
ବାପା ଭାଇ ଦାଦା ଖୁଡିଙ୍କ ସୋହାଗ
ଅମୃତ ଶରଧା ସେନେହ ଡୋର ।
ସ୍ମରଣ ମାତ୍ରକେ ତା ଅଭୁଲା ସ୍ମୃତି
ଉତ୍ଜଫୁଲିତ ମନେ ଜାଗେ ହରଷ
ଭରିଯାଏ ପ୍ରାଣେ ଅପୂର୍ବ ଆତ୍ମିକ
ପୁଲକ ଆନନ୍ଦ ଜୀବନୋଚ୍ଛ୍ୱ।ସ ।
