ମୋ ଗାଆଁ
ମୋ ଗାଆଁ
ଦିଗବଳୟ ରୁ ଉଇଁ ଆସେ ସୂର୍ଯ୍ୟ
ନାଲିଆ ଆଭାକୁ ତେଜି
କାଉ ଡାକ ଶୁଣି ଉଠିଯାନ୍ତି ସର୍ବେ
ନିଦ ଯାଇ ଥାଏ ହଜି ୧
ଭୋଅର ପ୍ରହର କୁକୁଡା ଡାକରେ
ଛାଡେ ଭୁଆସୁଣୀ ଶେଯ
ବାସି ପାଇଟି ତା’ ସଅଳ ସାରିକି
ଦିନ ପାଇଁ କରେ ସଜ ୨
ଲୁଚି ଯାଇଥାଏ ପାହାନ୍ତି ତାରାଟି
ଲିଭାଇ ତାହାର ଜ୍ୟୋତି
ଶୀତଳ ପବନ ମନ ମୋହି ଦିଏ
ସବୁଜ ସୁଷମା ପ୍ରୀତି ୩
ପତର ଗହଳୁ ଭାସି ଭାସି ଆସେ
ମଲ୍ଲୀ ଚମ୍ପା ହେନା ବାସ୍ନା
କିଛି କ୍ଷଣ ପାଇଁ ହୁଅଇ ଧରାରେ
ପାରିଜାତ ହୀନମନା ୪
ଗାଆଁରେ ଜୀବନ ବହୁତ ସରଳ
ଆତ୍ମିୟତା ଥାଏ ସଦା
ମିଳିମିଶି ସଭେଁ ଆଦରେ ରହନ୍ତି
ପଡେ ନାହିଁ ଅସୁବିଧା ୫
ପଶ୍ଚିମ ଦିଗରେ କେନ୍ଦରା କେନାଲ
ପାଖରେ ଶିବ ମନ୍ଦିର
ସାହାଡା ସୁନ୍ଦରୀ ବଜ୍ର ମହାକାଳୀ
କରୁଣା ମିଳେ ଅପାର ୬
ଦକ୍ଷିଣରେ ଅଛି ଇଛା ବଟ ଧାମ
ଉତ୍ତରରେ ଜଗନ୍ନାଥ
ମଝିରେ ବିରାଜ ଜୟ ମହାବୀର
ସଭିଙ୍କର ପ୍ରାଣ ନାଥ ୭
ଗଜଲକ୍ଷ୍ମୀ ଅବା ସରସ୍ବତୀ ମେଢ
ଦୁର୍ଗା ମା ମଙ୍ଗଳା ଓଷା
ଏକାଠି ପାଳନ୍ତି ଗ୍ରାମବାସୀ ବୃନ୍ଦ
ଭାଇଚାରାର ଏ ଭାଷା ୮
କାର୍ତ୍ତିକେଶ୍ବରଙ୍କ ଆଶୀଷ ପାଇଁକା
ଗାଆଁରେ ହୁଅଇ ପୂଜା
ପଣା ସଂକ୍ରାନ୍ତି ବା ଶିବରାତ୍ରୀ ପର୍ବ
ଲାଗଇ ବହୁତ ମଜା ୯
ଗାଁଆ ରୂପ ମୋର ଅତି ମନୋହର
ବଢିଛି ନିଜେ ସେଠାରେ
ସପନେ ଦେଖୁଛି ବହୁ ଦୂରୁ ଆଜି
ପ୍ରଣତି ଜଣାଏ ତାରେ ୧୦
