ମୋ ଗାଆଁ କାନ୍ଦୁଛି
ମୋ ଗାଆଁ କାନ୍ଦୁଛି
ମୋ ଗାଆଁ କାନ୍ଦୁଛି ଗୁମୁରି ଗୁମୁରି
ସହର ହସୁଛି ବାହାସ୍ପୋଟ ମାରି
ସତେକି ତାର ଭଗାରି
ନୁହେଁ ଗାଆଁ ବିନା ତା ପରିକଳ୍ପନା
ଯାଉଛି ମନୁ ପାଶୋରି ।।
ଗୋଟିଏ ନାଭିରୁ ଦୁଇଟି ସନ୍ତାନ
ଗାଆଁ ବଡ ପୁଣି ସହରଟି ସାନ
କୁଟରେ ଅନ୍ତର ପୂର୍ଣ୍ଣ
ଦେଖି ପାରୁ ନାହିଁ ସହି ପାରୁ ନାହିଁ
ବଡର ଉଦାର ପଣ ।।
ଗାଆଁ ପରିବେଶ କାଦୁଅ ଅସନା
ସହରର ଆଧୁନିକର ବାସନା
ହରି ନିଏ ତା ସନ୍ତାନ
ବଢେ କଳେବର ସହର ମାଟିର
ଗାଆଁକୁ ଦେଇ କଷଣ ।।
ଚାକ ଚକ୍ୟ ସିନା ତୋର କଳେବର
ସବୁ କୁଟ ନୀତି ଭରିଛୁ ଅନ୍ତର
କହେ ଗାଆଁ ମାଟି ମୋର
ମୋ କୋଳ ସନ୍ତାନ ମଳି ମୁଣ୍ଡିଆ ଯେ
ସଭିଏଁ ଚିକ୍କଣ ତୋର ।।
ତୋହରି ଚିକ୍କଣ ମୋର ଅବଦାନ
ଖାଦ୍ୟ କଞ୍ଚା ମାଲ ଖଣି ଓ ଖାଦାନ
ଝରଣା ନଦୀ କାନନ
ତୋ ଅଙ୍ଗ ବସନ ସବୁ ମୋର ଦାନ
ତୁଛା ତୋର ଅଭିମାନ ।।
ଶାନ୍ତି ପରିବେଶ ସୌନ୍ଦର୍ଯ୍ୟ ବିପିନ
ମୃଦୁ ମଳୟରେ ବିହଙ୍ଗମ ସ୍ୱନ
ହରି ନିଏ ତନୁ ମନ
ଅବୁଝା ସନ୍ତାନ ଆଧୁନିକେ ମନ
କୋଳ ମୋର କରେ ଶୂନ୍ୟ ।।
ନାହିଁ ତା ବିବେକ ଯେ ହୋଇଲା ଯୋଗ୍ୟ
ଭୁଲି ଜନ୍ମ ମାଟି ସହରେ ସରାଗ
ଇଂଜିନିୟର ଡାକ୍ତର
ଭାବେ ରାଜ ନେତା ସହରର ଚିନ୍ତା
ମୋ କୋଳ ମଣନ୍ତି ପର ।।
ମୋ ପାଣି ପବନେ ଗଢା ଯା ଜୀବନ
ସେ ମଣଇ ମୋତେ ଭଗାରିଠୁଁ ହୀନ
ଧିରେ ଧିରେ ଭୁଲି ଯାଏ
କୁଣିଆଁଙ୍କ ସମ ଆସି ଦୁଇ ଦିନ
ଖାଲି ନାକ ଟେକୁଥାଏ ।।
