ମୋ ଦୃଷ୍ଟିରେ ପ୍ରେମର ପରିଭାଷା
ମୋ ଦୃଷ୍ଟିରେ ପ୍ରେମର ପରିଭାଷା
ସମସ୍ତେ କୁହନ୍ତି ...
ପ୍ରେମର ଆରମ୍ଭ କୋଉଠୁ ହୋଇଛି
କେହି ପାରିବେନି କହି
ସେଯେ କୁଳୁକୁଳୁ ସ୍ରୋତସ୍ୱନୀ
ଏକ ଅଙ୍କା ବଙ୍କା ନଈ ।
ପ୍ରେମ କିନ୍ତୁ ଯେଉଁ ଅଢେ଼ଇ ଅକ୍ଷର
ଗଭୀରତା କେତେ ତାର
ବ୍ୟାପକ ସେ ଅର୍ଥ ନିର୍ଭୁଲ ଶଦ୍ଦ ସେ
ସତେ ପ୍ରଶାନ୍ତ ସାଗର ।
ପ୍ରେମ ଥରେ ହୃଦେ ଉଦ୍ଜୀବିତ ହେଲେ
ଶୀତଳତା କେତେ ଭରେ
ଯେତେ ଲିଭାଇଲେ ଲିଭେନି ଜମା ସେ
ଦିକି ଦିକି ହୋଇ ଜଳେ ।
ପ୍ରେମ ଯେବେ ଥରେ ଲେଖି ଦେଇ ଯାଏ
ତା ସ୍ମୃତି ର ଅଲିଭା ଭାଷା
ଭାଙ୍ଗି ପାରେନାହିଁ ସହ ସହ ଜନ୍ମ
ତୁଟେନି କେବେ ଭରଷା ।
ଅବର୍ଣ୍ଣନୀୟ ପ୍ରେମ ପରିଭାଷା
ସୁଖର ପସରା ତା ର
ଜୀବନ ପୃଷ୍ଠାରେ ସ୍ୱର୍ଣ୍ଣାଭ କାଳୀରେ
ପକାଇ ଯାଏ ସେ ଗାର ।
ପ୍ରେମ ପାଲଟିଲେ ପ୍ରୀତିର ସହର
ଶୋଭା ନୈସର୍ଗିକ ତାର
ପୂର୍ଣ୍ଣମୀ ଜୁଆର କୂଳ ଛୁଇଁ ଯାଏ
ଶାଶ୍ୱତ ହୁଏ ସଂସାର ।
ସେ ଶାଶ୍ୱତ ପ୍ରେମ ମୋତେ ମୋହିତ କରିଛି
ତାର ସ୍ୱାଦ ମୁଁ ଚାଖିଛି କେତେ
ତା' ପ୍ରେମରେ ପଡି କବିତା ଲେଖୁଛି
ମୋ ଜୀବନ ଚଲାପଥେ ।

