ମୋ ଭାଇ
ମୋ ଭାଇ
ସୁନା, ରୁପା, ହୀରା, ମୋତି ମାଣିକଠୁ
ଅଧିକ ଭାଇ ମୋହରି
ସ୍ନେହ, ଶ୍ରଦ୍ଧା, ମମତାର, ଗନ୍ତାଘର
ରହିଛି ତାଙ୍କଠି ପୁରି ।
ବାହାରୁ ଯେବେ ସେ ଘରକୁ ଆସନ୍ତି
ମୋ ନାମ ଧରି ଡାକନ୍ତି
କୁଆଡେ ଗଲୁ ଲୋ ମୋ ଗେଲ୍ଲୀ ଭଉଣୀ
ସ୍ନେହ, ଆଦରେ କୁହନ୍ତି ।
ମୋ ପ୍ରିୟ ଜିନିଷ ଜଣା ମୋ ଭାଇଙ୍କୁ
ମନ ଜାଣି ଆଣିଥାନ୍ତି
ପାଖରେ ବସାଇ, ଆନନ୍ଦେ ଖୁଆଇ
ମୁଣ୍ଡ ଆଉଁସି ଦିଅନ୍ତି ।
ମୋ ଦେହରୁ ଝାଳ ବୋହିଗଲେ ଭାଇ
ଗାମୁଛାରେ ଦ୍ୟନ୍ତି ପୋଛି
ବଡ଼ ଭାଗ୍ୟବତୀ ଦୁନିଆଁ ରେ ମୁହିଁ
ଏପରି ଭାଇ ପାଇଛି ।
ଓଷା, ବାର ଆଉ ପୁନେଇଁ ପରବେ
ମୋ କଥା ବୁଝନ୍ତି ଆଗ
ସେଥିପାଇଁ ପରା ମୋ ସାନ ଭାଇର
ହୁଅଇ ବହୁତ ରାଗ ।
ରାକ୍ଷୀ ବାନ୍ଧିଦେଇ ଭାଇଙ୍କ ହାତରେ
ଫୁଲ ଚନ୍ଦନ ମୁଁ ଦେଇ
ମିଠା ଖୋଇ ଦେଇ ପ୍ରଣାମ ହୁଅଇ
ଭାଇ ନିଅନ୍ତି କୋଳେଇ ।
ସୁନା, ରୁପା ରଙ୍ଗ ରେଶମୀ ସୂତାରେ
ତିଆରି ହୁଅଇ ରାକ୍ଷୀ
ମମତାର ଡୋରି ଭାଇ ହାତେ ବାନ୍ଧେ
ଭଉଣୀ ଟି ହୋଇ ସୁଖି ।
ଜଗା, ବଳିଆଙ୍କ ସୁଭଦ୍ରା ଭଉଣୀ
ପରି ମୁଁ ନିଜକୁ ଭାବେ
ମୋ ଭାଇ ପରିକା ଭାଇ କେହି ନାହିଁ
କହେ ସମସ୍ତଙ୍କ ଆଗେ ।
ଠାକୁରଙ୍କ ପାଶେ ଭାଇଙ୍କର ଶୁଭ
ମଙ୍ଗଳ ମନାସୁଥାଏ
ଯୁଗେ ଯୁଗେ ଏହିପରି ସୁନା ଭାଇ
ମୁହିଁ ପ୍ରଭୁ ପାଉଥାଏ ।