STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ମୋ ଭାବ ବଣିକ

ମୋ ଭାବ ବଣିକ

1 min
333


ମୁଁ ଦୀନ ଦୁଃଖୀ ମୋ ଭଙ୍ଗା ନାଆଟି

   ସୁଅରେ ଦେଇଛି ମେଲି,  

ଛ'ପ୍ରାଣୀ କୁଟୁମ୍ବ ମୋ ବେକରେ ବନ୍ଧା       

   ସଂସାର ଚଳିବ ବୋଲି।


ନୁହେଁ ମୁଁ ଅବଶ୍ୟ ବିଜ୍ଞାନୀ କୈବର୍ତ୍ତ

    ଅଜ୍ଞାନ ମୁରୂଖ ଯେଣୁ,

ଅପେକ୍ଷା କେବଳ ପ୍ରଭୁ ରଘୁବୀର

    ଶ୍ରୀପଦ ଧୋଇବି ରେଣୁ।


ସତେ ହେବ ଭାଗ୍ୟ ଲଭିବି ସେ ପଦ

    କାମନା ମୋ ପୂର୍ଣ୍ଣ ହେବ,

ନ‌ଉକା ନାୟୀକା କି ହେବ ଶାମୁକା

    ପ୍ରଭୁ ସେ କଥା ବୁଝିବ।


ପାଷାଣୀ ଅହଲ୍ୟା ପ୍ରାୟେ ମୁହିଁ ପରା

    ତା'ବାଟ ରହିଛି ଚାହିଁ,

ମୋ ଜଡ ଶରୀର ହୋଇବ ଉଦ୍ଧାର

   ତାରିବେ ମୋ ଭାବଗ୍ରାହୀ।


ଶବରୀଟି ପରି ମୁଁ ଅଇଁଠା କୋଳି

   ସରାଗେ ଦେବି ଖୁଆଇ,

ବିଭୀଷଣ ପରି ଶରଣ ପଶିବି

   ତା'ର ଶ୍ରୀଚରଣେ ଯାଇ।


ମୁଁ ଦୁଃଖୀ ନାଉରୀ ଆଶ୍ରା ଭଙ୍ଗା ତରୀ

   ସତ ନାଉରୀଆ ସେହି,

ମୋ ଭଙ୍ଗା ଡଙ୍ଗାରେ ପାଣିପଶିଯାଏ

   ତା' ଡଙ୍ଗା କୂଳ ଲଙ୍ଘ‌ଇ।


ପୂବେଇ ପବନ ଅଣଚାଶ ବାଆ

   କଳା ମେଘ ଯେବେ ଆସେ,

ଛାତିରେ ମୋହର ଛନକାଟି ପଶେ

   ତା'ଠାରେ ଶରଣ ପଶେ।


ଭବ ସାଗରରୁ ପାରୀ କରେ ସିଏ

   ମୁଁ ପାରି କରେ ନଦୀରୁ,

ସିଏ ବି ନାବିକ ମୁଁ ବି ନାବିକ

   ସିଏ ଭାବ କଳ୍ପତରୁ।


ସାହିତ୍ୟ ସାଗରେ ଭାବର ନ‌ଉକା

   ଆନନ୍ଦରେ ଭସେଇଛି,

ଭାଷା ସଂସ୍କୃତିର ମଧୁର ସଙ୍ଗୀତ

   ଆପଣଙ୍କୁ ଶୁଣ‌ଉଛି।


ନ‌ଈ ଏ ପାରୀରୁ ନ‌ଈ ସେପାରୀକୁ

   ନାବ ମୋର ଯାଏ ଆସେ,

ଭବପାରାବାରେ ଏ ପାରୀ ସେପାରୀ

   ଜନ୍ମ ମୃତ୍ୟୁର ପ୍ରକାଶେ।


ମୋ ପାରୀ ମୂଲକୁ ପ‌ଇସାଟେ ନିଏ

   ସେ ନିଏ ଭାବ କ‌ଉଡି,

ମୁଁ କିନ୍ତୁ ପଡ଼ିଛି ସ୍ଵାର୍ଥର ମାୟାରେ

   ତା' ହାତେ ମୋ ଭାଗ୍ଯଡୋରି l


ପେଟ ପୋଡ଼ି ଯାଏ ଜାଲଟିଏ ଧରି

   ନଦୀରେ ପକାଉଥାଏ,

ଶବ୍ଦର କେତୋଟି ମୀନ ମାରି ବିକି

   କୁଟୁମ୍ବ ମୁଁ ପୋଷୁଥାଏ।


ଭାଷା ତରାଜୁରେ ଓଜନ ମୁଁ କରେ

   ସାହିତ୍ୟ ଗାଁରେ ବୁଲି,

ଭାବ କୈବର୍ତ୍ତ୍ଯଟି ସୁଖ ଦୁଃଖ ବିକେ

    ପାପ ପୁଣ୍ୟ ମାପ କରି।


ସେ ଭାବ ବଣିକ ମୁଁ ତ ନିରେଖ

    ସେ ଦୁଃଖୀ ଜନ ନାୟକ,

କରୁଣା ବାରିଧୀ ସିଏ କୃପାନିଧି

    ମୁଁ ଅଟେ ଛାର ସେବକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy