ମଣିଷ ପଣିଆ
ମଣିଷ ପଣିଆ


ପ୍ରେମ, ଉଦାରତା, ପରୋପକାରତା,
ସମବେଦନାର ରୀତି,
ଆପଣା ପଣିଆ, ସ୍ୱାର୍ଥ-ତ୍ୟାଗ ସବୁ
ମାନବିକତାର ନୀତି । [୧]
ଆଧୁନିକତାର ସ୍ୱାଧୀନ ଫାଶରେ
ମଣିଷ ପଣିଆ ବନ୍ଦୀ,
ହୀନ ମନ୍ୟତାର ସାଧନାରେ ଦେଖ
ବିବର୍ତ୍ତନ ହୁଏ ଛନ୍ଦି । [୨]
ଉଗ୍ର ଆଧୁନିକ ଆଳେ ଉଛୃଙ୍ଖଳ
ଉଚ୍ଚ ଶିକ୍ଷିତ ସୁଜ୍ଞାନୀ,
ଚରିତ୍ର ଶବ୍ଦର ମହତ୍ଵକୁ ଭୁଲି
ଲମ୍ପଟ କୁପଥଗାମୀ। [୩]
ଧୈର୍ଯ୍ୟ, ଶାନ୍ତି, ଦୟା, ପରୋପକାରତା,
ବହୁଜନ-ସୁଖ ଭୁଲି,
ନିଜ ଧନ, ମାନ ଉନ୍ନତିରେ ନର,
ଅପରକୁ ଦିଏ ବଳି । [୪]
ବଦଳି ଯାଉଛି ସୁସ୍ଥ ଚିନ୍ତାଧାରା
ପ୍ରାକୃତିକ ପରିବେଶ,
ବିବେକର ବୋଲ ନମାନି ମଣିଷ
ସ୍ୱାର୍ଥର କବଳେ ବଶ । [୫]
ଜନ୍ମ ଦାତା ମାତାପିତା ଏଣେ କେତେ
ନିଃସହାୟ ,ଅସହାୟ ,
ତେଣେ ସୁପୁତ୍ରଟି ପଶୁ ପ୍ରେମେ କରେ
ପଇସାର ଅପଚୟ । [୬]
ଅନୁଗତ ସାଥି ସାଥେ ଛଳ କରି,
ରଚେ ପରକ୍ରିୟା ପ୍ରୀତି,
ସୋମରସ ପାନେ, ପ୍ରମତ୍ତ ପରାୟେ
ଉଦଣ୍ଡ ନୃତ୍ୟରେ ବ୍ରତୀ। [୭]
ଧର୍ମ, ଜାତି, ଭାଷା, ରଙ୍ଗ ଭେଦ,ଭେଦ-
ଆଧାରକୁ ମନେ ଭରି,ହତାଶିଆ
ହିଂସା ବିଦ୍ବେଷର ସାଂଜୁ ବେଢ଼େଇ ସେ
ମାନବ ସମାଜ ବୈରୀ । [୮]
ଭଉତିକ ସୁଖ ହାତେଇ ହାତେଇ,
ନିଃସ୍ୱ ମଣିଷ ପଣିଆ,
ଅମୁହାଁ ପଥରେ କୁହୁଡି ପହଁରି
ସତେ କେଡେ ହତାଶିଆ ! [୯]
ହେ ମନୁ ବଂଶଜ! ପରମାତ୍ମା ଅଂଶ,
ଶୁଣି ବିବେକର ବୋଲ,
ନର ଜନମକୁ ଚରିତାର୍ଥ କରି
ବଢ଼ାଅ ଜୀବନ ମୂଲ । [୧୦]
ଆସ ଆମ ଦିବ୍ୟ ସଂସ୍କୃତିରୁ ସବୁ
କୁସଂସ୍କାର ଫେଡ଼ିଦେବା,
ଆଧୁନିକତାର ସୁଫଳକୁ ଯୋଡି
ଭଲ ମଣିଷଟେ ହେବା । [୧୧]