ମଣିଷ ଜୀବନ ପାଣି ଫୋଟକା
ମଣିଷ ଜୀବନ ପାଣି ଫୋଟକା
ଗଛର ଡ଼ାଳରୁ କଞ୍ଚା ପାଚିଲା ପତ୍ର
ଖସି ପଡ଼େ ଆପେ ଆପେ ଅଚାନକ
ଅଥବା ଝଡ଼ ବାତ୍ୟା ବର୍ଷାର ମାଡ଼ରେ
ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତରେ
ନିୟନ୍ତ୍ରଣ କରିବାକୁ ଜୁ ନାହିଁ କା'ର
ଏ ଅଦୃଷ୍ଟ ବିଧିର ବିଧାନ
ଲାଗେ ମଣିଷ ଜୀବନ ବି ସେମିତି
ଝଡ଼ି ପଡୁଥିବା ଗଛର ପତ୍ର ବା
ଭାସମାନ ଏକ ପାଣି ଫୋଟକା ପରି
ଭବ ମାୟାରେ ଭାସି ଖେଳୁ ଖେଳୁ
ଅକସ୍ମାତ ଫାଟି ସେ ପାଣିରେ ହୁଏ ଲୀନ
ସକାଳର ସୁନେଲି କିରଣରେ
ହସି ଖେଳି ଗାଉଥିବା ନାଚୁଥିବା
ଶାନ୍ତ ସୁଧାର ଜୀବନଟା
ସଂଜକୁ ଜଳୁଥାଏ ଜୁଇର ନିଆଁରେ
ଲାଗେ ବିହିର ବିଚାର ନିର୍ମମ ମର୍ମନ୍ତୁଦ
ଦୁଃଖର ସାଗରରେ ଭାସନ୍ତି ଆତ୍ମୀୟଜନ
ଶୋକ ଭରା କାରୁଣ୍ୟମୟ ଜୀବନ
ସବୁବେଳେ ଅସ୍ଥାୟୀ ଅନିଶ୍ଚିତ
ତଥାପି ମଣିଷ କରେ ଗର୍ବ ଅହଙ୍କାର
ପବନକୁ ଜାବୁଡି ଧରିବାର ଶକ୍ତି
ଦେଖାଏ ଅଜ୍ଞାନତାର ଅବୁଝା ପଣରେ
ଦେଖୁଛି ଶିଖୁଛି ଅନୁଭବ ବି କରୁଛି
ରଖି ପାରୁନି ନିଜର ସଂଯମତା
ନିମିତ୍ତ ମାତ୍ର ପାଇଁ ହେବାକୁ ଚାହେଁ
ସମସ୍ତ ବିଭବର ଅଧିକାରୀ
କି ଆଶ୍ଚର୍ଯ୍ୟ ବିସ୍ମୟକର ତାର ସ୍ଵଭାବ
ବୁଝେନା ପାଣି ଫୋଟକା ଭିତରଟା
କେବଳ ଶୂନ୍ୟ ହିଁ ଶୂନ୍ୟ
ପୂର୍ଣ୍ଣତା ଆଣିବାକୁ କରେ ବୃଥା ପ୍ରୟାସ
ପୂର୍ଣ୍ଣ ତ ସେଇ ପରଂବ୍ରହ୍ମ ପରମାତ୍ମା
ନ ପାଇବା ଯାଏଁ ତାଙ୍କର ସାନ୍ନିଧ୍ୟ
ପ୍ରତିଟି ଜୀବନ ପାଣି ଫୋଟକା
ଜନ୍ମ ମୃତ୍ୟୁର ଚକ୍ରରେ ଖେଳେ ଭଉଁରୀ
ଅଢେଇ ଦିନ ପାଇଁ ସଂସାରର ଏ ଆସକ୍ତି
ମାୟାରେ ହୁଏ ଲୋଭ ମୋହଗ୍ରସ୍ତ
ଭୁଲିଯାଏ ତା' ଜୀବନ ପାଣି ଫୋଟକା।