ଲୁହର ନିର୍ବାଣ
ଲୁହର ନିର୍ବାଣ
କପଟ ଛଳନା ଦେଖି ଏଇ ଆଖି
ଲୁହକୁ ସାଇତି ରଖୁଛି ।
କା'ପାଇଁ ଝରିବ କେମିତି ଝରିବ
ଝରିବ କି ନାଇଁ ଭାବୁଛି !
ସମ୍ପ୍ରତି ସ୍ୱାର୍ଥର ଛଳ ଦୁନିଆରେ
କିଏ ପର କିଏ ନିଜର ।
କହି କି ପାରିବ,ଜାଣି କି ପାରିବ
ସଭିଏଁ ଦିଶନ୍ତି ସୁନ୍ଦର !
ସୁନ୍ଦର ହସର ନିଭୃତ ସହରେ
ପେନ୍ଥା ପେନ୍ଥା ଫୁଲ ପଳାସ ।
ଆଖିକୁ ସୁନ୍ଦର ଭିତରେ ଜହର
ପୁଣ୍ୟ ନାମେ ରୁକ୍ଷ,କଳୁଷ ।
ନୀରବ ଆଖିର ନରମ କୋଣରେ
ଆତ୍ମ ଉତ୍ସର୍ଗର ଢେଉରେ ।
ଅଭିମାନ ଭରା ସ୍ୱାଭିମାନ ନେଇ
ଲୁହ ଜଳେ ଗୁପ୍ତ ଜ୍ୱାଳାରେ ।
ଲୁହ ତ ଅବଳା ତନୁ ଚିତ୍ରୋତ୍ପଳା
କେବେ କ୍ଷୀଣ କେବେ ପ୍ରବଳା ।
ନିଜ ଅଧୀନରେ ରହି କି ପାରିବ
ପର ପାଇଁ ହୁଏ ପ୍ରମିଳା !
ମିଛ ସେନେହକୁ ବାଣ୍ଟିବାକୁ ଯାଇ
ଜର୍ଜର ନିଆଁରେ ଜଳୁଛି ।
କେମିତି କହିବ କା'ଆଗେ କହିବ
ଆପଣା ପଣକୁ ଖୋଜୁଛି
।
ଆପଣା ପଣ ବି ଉଭେଇ ଯାଇଛି
ଅମଣିଷ ପଣ ଆଗରେ ।
ମଣିଷ ପଣିଆ ବଜାରେ ବିରଳ
ମଣିଷକୁ କିଏ ପଚାରେ !
ଜହ୍ନ କଳଙ୍କକୁ ନିନ୍ଦୁଛ କାହିଁକି
ସିଏ ତ ବିଧାତା ଲିଖନ ।
ତୁମେ ତ ବରିଷ୍ଠ ସଂସାରରେ ଶ୍ରେଷ୍ଠ
ନିଜ କଳଙ୍କରେ ନିପୁଣ ।
ଲୁହର ବି ଥାଏ ଶୃଙ୍ଖଳା ସଂସ୍କାର
ଥାଏ ନୈସର୍ଗିକ ସମ୍ମାନ ।
ନିଜେ ଜଳେ, ଜଳି ଛଟପଟ ହୁଏ
ଚରିତ୍ରରେ ସ୍ୱୟଂସମ୍ପୂର୍ଣ୍ଣ !
ଚାହେଁନି କେବେ ସେ ନିଷ୍ଠୁର ହେବାକୁ
ବରଂ କାନ୍ଦେ ଅନ୍ୟ କର୍ମରୁ ।
କାନ୍ଦି ଗଡିଯାଏ ଗଡି ଶୁଖିଯାଏ
ଦୁନିଆ ଦୁଷ୍କର୍ମ ଦାଉରୁ !
ପ୍ରତାରଣାପୂର୍ଣ୍ଣ ସଂକୀର୍ଣ୍ଣ ତୀର୍ଥରେ
ନିର୍ମାଲ୍ୟ ପରି ସେ ନିର୍ମଳ ।
ନିର୍ବାଣ ଖୋଜୁଛି ବିନମ୍ର ନୟନେ
ନୟନୁ ଢାଳି ଅଶ୍ରୁଜଳ !