ଅବିଚାର ଝଡ଼ର
ଅବିଚାର ଝଡ଼ର
ଟିକି ଶିଶୁ ମୁଖେ ଦେଇ ଖୁଦ ଆହାର
ଆକାଶରେ କରୁଥିଲି ସ୍ଵଛନ୍ଦେ ବିହାର
ନାନା ରଙ୍ଗେ ଗୀତ ଗାଇ
ହସି ଖେଳି ନାଚି ଗାଇ
ଆନନ୍ଦରେ କଟୁଥିଲା ଦିନ ମୋହର।
ହଠାତ୍ ଗଗନେ ଘୋଟିଲା ଘୋର ଅନ୍ଧାର
ବୋଧେ ସହି ପାରିଲାନି ବିଧି ସୁଖ ମୋହର
ଝଡ଼ ରୂପୀ କାଳ ଆସି
ବସାକୁ ମୋ ଦେଲା ନାଶି
କ୍ଷଣିକେ ଉଜାଡ଼ି ଦେଲା ମୋ ସୁନା ସଂସାର।
ପ୍ରକୃତି ଆଗରେ ଅଛି କାହାର ବା ଜୋର
ଯମ ସାଜି ବାଆ ନେଲା ଜୀବ ମୋ ଶିଶୁର
କାନ୍ଦିଲେ ବି ମଥା ପିଟି
ଫେରିବକି ମୋ ଶିଶୁଟି
କହରେ ଦଇବ କଲୁ ଏ କି ଅବିଚାର।
ପାପ ଯଦି କରିଥିଲି ମୁଁହି ତୋ ଆଗର
ଜୀବନ ବି ନେଇଥାନ୍ତୁ ନାହିଁ ଦ୍ୱିଧା ମୋର
କି ସକାଶେ ମାଆ ପାଶୁ
ଛଡ଼ାଇ ନେଲୁ ତା ଶିଶୁ
କହ କେମନ୍ତେ ରଖିବି ପ୍ରାଣ ହୋଇ ମାଆ ତାର।