ମଣିଷ ଗଛ
ମଣିଷ ଗଛ
ସବୁଜ ଗଛଟି ଅଟେ ସ୍ୱୟଂ ପୁଷ୍ଟ
ଭୂମନସ୍କ ଅବିଚଳ
ସ୍ଥିତପ୍ରଜ୍ଞ ଭାବେ ଆହରେ କିରଣ
ବିତରଇ ଫୁଲଫଳ ।
ଦେବତା ସଦୃଶ କରିଚାଲେ ଦାନ
ପ୍ରାଣବାୟୂ ଅମ୍ଳଜାନ
ହୁଏନି ନିବୃତ୍ତ ଧରମ ପଥରୁ
ମହିଧର ମହିୟାନ ।
ପରଭୋଜୀ ପ୍ରାଣୀ ଅଟଇ ମଣିଷ
ଓଲଟ ବୃକ୍ଷ ସଦୃଶ
ତା ଶ୍ରମ ସାଧନ କର୍ମ ସମ୍ପାଦନେ
ଜୀବଶ୍ରେଷ୍ଠ ସବିଶେଷ ।
ବିନିଯୋଗ କରି ବୁଦ୍ଧି ଓ ବିବେକ
ପ୍ରଖର ଜ୍ଞାନ ବିଜ୍ଞାନ
ଶକ୍ତିଶାଳୀ ନର ମର୍ତ୍ତ୍ୟ ଭୂମଣ୍ଡଳ
କରୁଅଛି ନିୟନ୍ତ୍ରଣ ।
କେବଳ ଭକ୍ଷକ ହୋଇଲେ ନିଶ୍ଚୟ
ଘଟିବ ମହାପ୍ରଳୟ
ମଣିଷ ଅସ୍ତିତ୍ବ ହୋଇବ ବିପନ୍ନ
ହେଲାଣି ଜ୍ଞାନ ଉଦୟ ।
ସବୁଜ ସୁନ୍ଦର ପ୍ରକୃତି କୋଳରେ
ଜୀବନ ସ୍ୱଚ୍ଛନ୍ଦ ସୁସ୍ଥ
ସବୁଜ ବଳୟ ସ୍ତର ପ୍ରାଥମିକ
ସୁରକ୍ଷା ଗୁରୁ ଦାୟିତ୍ୱ ।
ନର ପଶୁ ପକ୍ଷୀ କୀଟ ତରୁ ଲତା
ସ୍ଥାବର ଜଙ୍ଗମ ପ୍ରାଣୀ
ବିବର୍ତ୍ତନ କ୍ରମେ ନିହିତ ସ୍ୱଧର୍ମେ
ଉତ୍କର୍ଷ ସୁଗୁଣ ଗୁଣି ।
ହେଉ ଏ ବସୁଧା ଜୀବନ ଦ୍ୟୋତକ
ଉନ୍ମେଷୁ ମଣିଷ ଗଛ
ପ୍ରତିଟି ହୃଦୟ ବିକଶୁ ଦିବ୍ୟତା
ଫୁଟୁ ପୁଷ୍ପ ପାରିଜାତ ।
