ମଣିଷ ଆଜି ଅଭୟାରଣ୍ୟ ଖୋଜୁଛି
ମଣିଷ ଆଜି ଅଭୟାରଣ୍ୟ ଖୋଜୁଛି
ନୀଳ ଆକାଶେ
ଉଡ଼ାଜାହାଜ ଉଡ଼ୁନି
ଦେଶ... ବିଦେଶ ରେ
ରହିଗଲେ --
ବେତାର କୌଶଳୀ --
ଯନ୍ତ୍ରୀ--ବିଶ୍ୱକର୍ମା --
ଜ୍ଞାନୀ ଜନ ମାନେ
ସ୍ଥିର-- ଆଜି --ଆକାଶମାର୍ଗ
ଆତଯାତ ସ୍ଥଗିତ ରହିଗଲା |
ଛାତିର କୋହକୁ
ଆଖିର ଲୁହରେ ଭରି
ଦେଶ ବିଦେଶ ରେ
ରହି କରୁଛି ରୋଦନ |
ପିତାମାତା --ବଂଧୁ --
ଜ୍ଞାତି କୁଟୁମ୍ବଙ୍କ 'ଚିତାଭଷ୍ମ '
ଦେଖୁଛି ସେ ---
ଦୂରଦର୍ଶନ ବାର୍ତ୍ତାରେ
ଦର୍ଶକ ସାଜି |
ଆଖିର ଲୁହ, ଆଖିରେ ମାରିମାରି
ସେଠାରେ ମରି.. ମରି
ସେ ବଂଚିଛି |
ମୋ ଦେଶ କାହିଁ
କେତେ ଦୂର ବୋଲି କହୁଛି |
ରାଜରାସ୍ତାରେ
ମଟର ଚକ ଗଡ଼ୁନି
ରେଳଗାଡ଼ି ରେ ଲୋକ
ଯାତାୟାତ ହେଉନି |
କେତେ ଦୂର ଯେ ମୋ ରାଜ୍ୟ
ଆଖି ଆଉ ପାଉନି |
ବାହୁଡ଼ିଲେ ପ୍ରବାସ --ପ୍ରବାସୀନି
ପ୍ରବାସବାସୀ ପଥଯାତ୍ରୀ ସାଜି
"ପ୍ରୋଷିତ"ଓ ପ୍ରୋଷିତାନୀ
ନିର୍ଜନ ରାସ୍ତାର...
ପଥିକ ସାଜି
ନିଜ ଭିଜା ମାଟିର
ମମତା ଡାକୁଛି ଆଜି |
ବଂଚିବା ପାଇଁ
ଆଖି ଟେକି ଚାହୁଁଛି
ରାସ୍ତାକଡ଼ରେ
ଥକା ମାରି ବସି ବସି ଆସୁଛି |
ଗାମୁଛାରେ ମୁହଁର ଝାଳ
ବସି ବସି ପୋଛୁଛି |
ଗାଁ ତା'ର ଘୁଂଚି... ଘୁଂଚି ଯାଉଛି |
ଚାହୁଁ--ଚାହୁଁ --ଗାଁ ତାର ଦିଶିଲା
'ବାପା' ତାର ଆସିଲା
କାନ୍ଦି କାନ୍ଦି କହିଲା
ଧନରେ ମନ ଦୁଃଖ କରନା
ବସା ବାନ୍ଧିଛି---
"ମହାମାରୀ କରୋନା" |
"ସଙ୍ଘବଦ୍ଧବାସ" କୋବିଡ କେନ୍ଦ୍ର
ସରକାର ଖୋଲିଛି --
ଚଉଦ ଦିନ ସେଠାରେ କର ବାସ,
ଚଉଦ ଦିନ ଯେବେ ବିତିବ
ଘର ଦ୍ୱାର ମୁହଁ ଦିଶିବ |
ତୋ' ମା ତୋ ସାଙ୍ଗେ ମିଶିବ
ଆଖିରୁ ଲୁହ ପୋଛିଲା
'ଘର' ପାଖକୁ ଯାଇ ଫେରିଲା
'କୋବିଡ କେନ୍ଦ୍ର' ରେ ପଶିଲା |