ମନେ ରହିବତ ସିଏ
ମନେ ରହିବତ ସିଏ
ସମସ୍ତେ କୁହନ୍ତି ବିଲେଇଟେ ତାକୁ
ହେଲେ ସେ ମୋର ଗେହ୍ଲା ପୁଅ
ମୋର କେବେ ଯଦି ଦେହ ପୀଡା ହୁଏ
ତା ଆଖିରୁ ଝରେ ଲୁହ ।
ଧୋବ ଫର ଫର ରଙ୍ଗଟି ତାହାର
ନାଆଁ ମୁଁ ଦେଇଛି ଶଙ୍ଖି
ତା'ଚେହେରାକୁ ଦେଖିଦେଲେ ଥରେ
ମନ ରହିଯିବ ଲାଖି ।
ଚାରିପାଖେ ମୋର ଘୁରି ବୁଲୁଥାଏ
ଅତି ଆପଣାର ପରି
ପାଦ ଟିକେ ମୋର ଚାଟିଦିଏ ଆସି
କେତେ ସ୍ନେହ ପ୍ରୀତି ଭରି ।
ପୁଅ ଗଲାପରେ ଭାଙ୍ଗି ପଡିଥିଲି
ବଞ୍ଚିବାଟା ଭୁଲିଯାଇ
ସେବେଠାରୁ ସିଏ ମୋ ପାଖେ ପାଖେ
ରହିଛି ଛାଇଟେ ହୋଇ ।
ମଣିଷ ଜାତିଟା ସ୍ୱାର୍ଥପର ସିନା
ଥାଏ ସ୍ୱାର୍ଥ ଥିବା ଯାଏ
ହେଲେ ପଶୁ ଜାତି ବହୁତ ବିଶ୍ୱାସୀ
ରହେ ଜୀବ ଯିବା ଯାଏ
ଗପ ହୋଇଯିବେ ସବୁଲୋକ ଦିନେ
ମନରେ ରହିବ କିଏ
ପରପାଇଁ ଯିଏ ଜୀଇଁଛି ଜୀବନ
ମନେ ରହିବତ ସିଏ ।