ମନେ ପଡ଼ୁଥିଲା ଭାଇ
ମନେ ପଡ଼ୁଥିଲା ଭାଇ
ବିଦ୍ୟାଳୟ ପଢ଼ା ସାରି ଭାଇ ଯେବେ
ଉଚ୍ଚଶିକ୍ଷା ପାଇଁ ଗଲା ,
ଖାଆଁ ଖାଁ ଲାଗିଲା ଘର ଖାଲି ଆମ
ମନ ତାକୁ ଝୁରି ହେଲା
ମନେ ପଡ଼ିଲା ତା' ଖେଳ କଉତୁକ
ଠାଣି ବାଣୀ ହସ ଖୁସି ,
ସାନ ହେଲେ ବି ସେ ଟିକିଏ କଥାରେ
କେବେ ଯାଏନାହିଁ ରୁଷି
ପଢ଼ାବେଳେ ପଢ଼େ ଖେଳ ବେଳେ ଖେଳେ
ହୁଏନାହିଁ ଅମାନିଆ ,
ଯାହା ଖାଉଥିଲେ ମୋତେ ଦେଇ କହେ
"ନେ ଆଲୋ ନାନୀ ଖାଆ"
ଯାତ ଦେଖିବାକୁ ଗଲେ କେଉଁଠିକୁ
ତା' ପକେଟ ଖରଚରେ ,
ଆଣିଦିଏ କେତେ ମନ ଲାଖି ଚିଜ
ମୋ ପାଇଁକି ଆଗ୍ରହରେ
ତାହାକୁ ବହୁତ ସ୍ନେହ କରେ ମୁହିଁ
କେବେ ବି ଆକଟ କରେ ,
ସେ କଥାକୁ ସିଏ ମନରେ ଧରେନା
ମିଶିଯାଏ ଟିକେ ପରେ
ପୁନିଅଁ ପରବ ପଡ଼ିଲାବେଳକୁ
କରୁ ଆମେ କେତେ ମଜା ,
ବରଷାରେ ଭିଜି ଗୀତ ଗାଉ ପୁଣି
କେସୁର ମାଇଲା ଗଜା
ଗୋଟି ଗୋଟି ସବୁ ମନେ ପଡ଼ୁଥିଲା-
ମନେ ପଡ଼ୁଥିଲା ଭାଇ ,
ଏବେ ସେ କଅଣ ଖାଉଥିବ ସେଠି
ଘରଠାରୁ ଦୂରେ ଥାଇ
ଭଲ ଭାବେ ନିଜ କାମ ତ ଶିଖିନି
ଘରେ କରୁଥିଲା ମାଆ ,
କିଏ ସେଠି ତାକୁ ଆଉଁଶି ବା ଦେବ
ବିଗିଡ଼ିଲେ ଦେହ ପାଆ
ବୁଝାଇଲେ ବାପା-"ବିଦ୍ୟା ଅଟେ ପରା
ସବୁଠାରୁ ଶ୍ରେଷ୍ଠ ଧନ ,
କଷ୍ଟ ସହି ତେଣୁ କରିବାକୁ ହୁଏ
ବିଦ୍ୟାର୍ଥୀକୁ ଅଧ୍ୟୟନ
ତୁମେମାନେ ଜମା ଅଧୈର୍ଯ୍ୟ ହୁଅନା
କର ତାକୁ ସହଯୋଗ ,
ତୁମଠୁଁ ପ୍ରେରଣା ପାଇଲେ ନିଶ୍ଚୟ
ସିଏ ସୁଜ୍ଞାନୀ ହୋଇବ
ବୁଝିଗଲା ମନ ,ଶୁଣିଲା ପରେ ମୁଁ
ବାପାଙ୍କର ସେଇ କଥା ,
ଭାଇକୁ ପ୍ରେରଣା ଯୋଗାଇ ଚାଲିଲି
କରି ତା'ର ଶୁଭ ଚିନ୍ତା