STORYMIRROR

Rosy Mishra

Fantasy Others

3  

Rosy Mishra

Fantasy Others

ମନେ ପଡେ

ମନେ ପଡେ

1 min
259


ମନେପଡେ ଭାଇ ମନେପଡେ

ମୋ ଗାଁ ଭାରି ମନେପଡେ 

ଗାଁ ଦାଣ୍ଡର ସେ ଧୂଳିଖେଳ

ମନେପଡେ ଆମ ପିଲାବେଳ

ପୋଖରୀ ପହଁରା, ଗହ୍ମାଡିଆଁ

ବୋହୁଚୋରି ଖେଳ, ଚକା ମୁଆଁ

ଜତନେ ମାଟିରେ ପାତ୍ର ଗଢ଼ି

ମିଛେ ନାନା ଜାତି ଖାଦ୍ୟ ବାଢ଼ି

ଭୂରି ଭୋଜନର ଖୁସି ବଢେ

ମନେପଡେ ଆଜି ମନେପଡେ


ଆମ୍ବ ତୋଟାର ସେ ରଜ ଦୋଳି 

ନଈ ପଠାର ବଇଞ୍ଚ କୋଳି

ପାଇକ ପୁଅର କୁସ୍ତି ଖେଳ

ଗଞ୍ଜା ଲଢ଼େଇରେ କରତାଳ

ଦହି ପଖାଳ କୁ ବଡ଼ିଚୁରା

ମାଣ ଓଷା ରେ ମଣ୍ଡା, କାକରା

ମନେପଡିଗଲେ ଲାଳ ଗଡେ

ମନେପଡେ ଭାଇ ମନେପଡେ ।


ଦୋଳ ଗୋଳ, ହୋଲି , ଦଣ୍ଡ ଜାତ

ବୋଉ ଗାଳି, ବାପାଙ୍କ ଆକଟ

ପଧାନ ବୁଢା ର ବଙ୍କା ବାଡ଼ି

ଦେହରୁ ଅଳିଆ ଦିଏ ଝାଡ଼ି

ଅବଧାନଙ୍କର ବେତମାଡ଼େ

ତନୁ ମନ ରୁ ଅଳସ ଛାଡେ

ମନେପଡେ ଭାଇ ମନେପଡେ

ମୋ ଗାଁ ଭାରି ମନେପଡେ ।


ଆସନ୍ତା କି ଫେରି ସେହି ଦିନ

ନିତି ଦେଖୁଥାନ୍ତି ଚିହ୍ନା ମୁହଁ

ନଈ କୁଳିଆ ଧୀର ପବନ

ଦେହ ମନେ ଭରେ ଶିହରଣ

ଗାଁ ଝିଅ କାଖ ରେ କଳସୀ

ଚାହିଁଦେଲେ ଲାଜେ ଦିଏ ହସି

ହୃଦୟେ କମ୍ପନ ଯେତେ ବଢେ

ମୋ ଗାଁ ସେତେ ମନେପଡେ ।

ମନେପଡେ ଭାଇ ମନେପଡ଼େ

ମୋ ଗାଁ ଭାରି ମନେପଡେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy