ଆସ ସାଥୀ ଆସ ଆମେ ପିଲା ହୋଇଯିବା
ଆସ ସାଥୀ ଆସ ଆମେ ପିଲା ହୋଇଯିବା
ଆସ ସାଥୀ ଆସ ଆମେ ହୋଇଯିବା ପିଲା
ବିନା ମତଲବେ ସବୁ କରିବା ଝାମେଲା ।
ନଡ଼ିଆ ଖୋପଡିରେ ଭରି ମାଟି,ବାଲି
ଯତନେ ରାନ୍ଧିବା ଆମେ ଭାତ,ଭଜା, ଡାଲି ।
ବିଷ, ଅମୃତ ଖେଳରେ ମଜିଯିବା ସର୍ବେ
ପାଣି ,ପାହାଡ଼ ଖେଳରେ ହଜିଯିବା ଭବେ ।
ଆସ ସାଥୀ ବୋହୁ ଚୋରୀ ଖେଳକୁ ଖେଳିବା
ଖେଳକୁ ନେଇ ମିଛେ କଳି ବି ଲାଗିବା ।
ତୁ' ଦେବୁ ଠେଲି ମତେ, ମୁଁ' ଦେବି ରାମ୍ପୁଡି
ତଳେ ପଡି ସକେଇବି ଯେବେ ମୁହଁ ମାଡି ।
ତୋଳି ଧରି ବୁଝାଇବୁ ଝାଡ଼ିଦେବୁ ଧୂଳି ।
ତୋ ମିଠା ପରଶ ପାଇ ଭୁଲିବି ମୁଁ କଳି
ତୋ ହାତରେ ହାତ ରଖି ଉଠିବି ମୁଁ ଧିରେ
ନଥିବ ଶଙ୍କା , ଆଶଙ୍କା ହୃଦୟ ଭିତରେ ।
ଅଜଣା ପୁଲକେ ମତୁଆଲା ହେଉଥିବା
ମନଭରି ପ୍ରକୃତିକୁ ନିରେଖି ଦେଖିବା ।
ନଥିବ ସମାଜ ଭୟ , ନଥିବ ଆକଟ
ନଥିବ ଘୃଣା,ନଥିବ ଛନ୍ଦ କି କପଟ ।
ଗାଁ ମୁଣ୍ଡ ଗଡ଼ିଆରେ ଦେଇ ବନିସୀ କଣ୍ଟା
ପଡୁ କି ନ ପଡୁ ମାଛ ବିତୁ ଘଣ୍ଟା ଘଣ୍ଟା ।
ବାରି ବରକୋଳି ଚୋରି କରି ଖାଉଥିବା
ଆସ ସାଥୀ ଆସ ଆମେ ପିଲା ହୋଇଯିବା ।
ଗାଁ ଦାଣ୍ଡେ ବୁଲି ବୁଲି ବାଣ ଫୁଟାଇବା
ତୁ ମୋ ପାଇଁ ମୁଁ ତୋ ପାଇଁ ଦୀପାଳି ଜାଳିବା ।
ଦିନେ ନ ଦେଖିଲେ ସାଥୀ ହୋଇବା ପାଗଳ
ଖୋଜିବା ଗଳି, କନ୍ଦି ଯେତେ ବୁଡିଯାଉ ବେଳ ।
ଆକାଶର ବୁକୁଚିରି ଜହ୍ନକୁ ଖୋଜିବା
ସୂର୍ଯ୍ୟାଲୋକେ ଲୁଚେ କିଆଁ ତାକୁ ପଚାରିବା ।
ସମୟର ଅନ୍ତରାଳେ ବଦଳେ ସେ କାହିଁ
ଦିବସେ ନ ପାଏ ଦେଖା ପ୍ରିୟା ନୀଳ କଇଁ ।
ବିରସେ କାଟଇ ଦିନ ଖୋଜି ସେହି ଜହ୍ନ
ତା ପାଇଁ ସତେଜ ସଦା,ତା ବିହୁନେ ମଳିନ ।
ଆମେ କିନ୍ତୁ କିଏ କା'ର ହାତ ନ ଛାଡିବା
ଜନମେ ଜନମେ ସୁଖ, ଦୁଃଖ ସାଥି ହେବା ।
ଭବିଷ୍ୟର ଆଶା ନେଇ ନ ଭୁଲିବା ଅତୀତ
ବର୍ତ୍ତମାନ ହାତେ ଆମ୍ଭେ ହୋଇ କବଳିତ ।
ଜଞ୍ଜାଳ ଜାଲେ ପଡିଣ ନ ହେବା ଦୁଃଖିତ
ଅତୀତ କୁ ଖୋଜି ଆଦରିବା ଭବିଷ୍ୟତ।
ରାଗ,ରୁଷା, ଅଭିମାନେ ସୁଖ ସାଉଁଟିବା
ଆସ ସାଥୀ ଆସ ଆମେ ପିଲା ହୋଇଯିବା ।
