ଅନୁପମ ଭାରତ
ଅନୁପମ ଭାରତ
ହିମାଳୟ ଯା'ର ମଥାର ମୁକୁଟ
ସାଗର ଯା' ପାଦ ଧୁଏ
ସେହି ତ ମୋ' ପ୍ରିୟ ଜନମ ଭୂଇଁ
ତା' ପଦେ ମୋ ମଥା ନୁଏଁ।
କେଡେ ମନୋରମ ରୂପେ ଅନୁପମ
ଏଇ ମୋ ଭାରତ ଦେଶ
ସମଗ୍ର ଏସିଆ ମାନଚିତ୍ରେ ତା'ର
ମହୁଲ ଫୁଲିଆ ବେଶ ।
କି କୁହୁକ ଅଛି ତା' ରି ପଣତେ
ଆଜିଯାଏଁ ଜଣାନାହିଁ
ହିନ୍ଦୁ, ମୁସଲିମ, ଶିଖ, ଖ୍ରୀଷ୍ଟିଆନ
ସଭିଏଁ ବୋଲାନ୍ତି ଭାଇ ।
କେତେ ସୁର,ବୀର ଜନମି ତା' କୋଳେ
ରଖି ଯାଇଛନ୍ତି ଯଶ
ଆହୁରି ଜନ୍ମିବେ ଟେକ ତା' ରଖିବେ
ଦେଖାଇ ନିଜ ପୌରୁଷ ।
ମୋ ଦେଶର ନାରୀ ବୀରା ରମଣୀ
ଝାଂସିରାଣୀ, ଲକ୍ଷ୍ମୀବାଈ
ରଣ ରଙ୍ଗୀନୀର ମର୍ଯ୍ୟାଦା ଲଭିଲେ
ମାତୃଭୂମି ରକ୍ଷା ପାଇଁ।
ଭୁଲି ଘରଦ୍ୱାର, ସାଥୀ, ସାଙ୍ଗ ମେଳ
ମାଆ ହୃଦୟକୁ ଭାଙ୍ଗି
ଏ ଦେଶ ଯବାନ ଦିଏ ଆତ୍ମବଳୀ
ମାତୃକା ସୁରକ୍ଷା ଲାଗି ।
ବହୁ ଭାଷା ଭାଷୀ ତା'ର ଅଧିବାସୀ
ଗୋଟିଏ ସୂତାରେ ଗୁନ୍ଥା
ସୁରୁଯ ଉଇଁଲେ ଏକସ୍ୱରେ ଶୁଭେ
ଜୟ ହେ ଭାରତ ମାତା ।
ମୋ ଦେଶ ମଳୟ ସାତ ସୁରେ ବହେ
ଗାଇ ଜତୀୟ ସଙ୍ଗୀତ
ନଦୀ,ପରବତେ ପ୍ରାଣ ସଞ୍ଚରିତ
ଶୁଷ୍କ ତରୁ ପଲ୍ଲବୀତ ।
ଅସି ଠାରୁ ଶକ୍ତ କବିଙ୍କ ଲେଖନୀ
ବାକ୍ୟ ବାଣେ ପାରେ ଛେଦି
ଗାଳ୍ପିକେ, ଭାବୁକେ, ମାଟିରୁ ଆକାଶ,
ଅନ୍ତରୀକ୍ଷ ଯାଏଁ ଭେଦି ।
ମୋ ଦେଶ ସଂସ୍କୃତି ସବୁଠୁ ନିଆରା
ଶୁଦ୍ଧ ତା'ର ପରମ୍ପରା
ରଙ୍ଗ,ରୂପ ମଧ୍ୟେ ନରଖି ପ୍ରଭେଦ
ଆଦରଇ ଭାଇଚାରା।
ଗର୍ବେ,ଗଉରବେ ଉଡାଇ ତ୍ରିରଙ୍ଗା
ପାଳୁଛୁ ଜାତୀୟ ପର୍ଵ
ପାଳୁଛୁ, ପାଳିବୁ ଜୀବ ଥିବା ଯାଏଁ
ଏଇତ ଆମରି ଗର୍ବ ।