ଆସ ଲଗାଇବା ଗଛ
ଆସ ଲଗାଇବା ଗଛ
ଆସରେ ମିତ ଆସ ସଙ୍ଗାତ
ଆସ ଲଗାଇବା ଗଛ
ଆମ ସଭ୍ୟତା ଆମ ସଂସ୍କୃତି
ସୁରକ୍ଷା କରିବା ଆସ ।
ବନ ଭୂମିରେ ସଭ୍ୟତାର
ପ୍ରଥମ ସୂର୍ଯ୍ୟୋଦୟ
ସଂସ୍କୃତି ପାଇଁ ବନର ଦାନ
ଅବିସ୍ମରଣୀୟ ।
ତପଶ୍ଚରଣ ର ପ୍ରଧାନ କେନ୍ଦ୍ର
ଅଟଇ ବନ ଭୂମି
ଶାନ୍ତ ପରିବେଶ, କମନୀୟ ରୂପ
ମୁନି ମନମୋହିନୀ ।
ଯାନ୍ତ୍ରିକ ସଭ୍ୟତା ବିକାଶ ଦିନୁ
ହତଶିରି ହେଲାଣି
ଆଧ୍ୟାତ୍ମିକତାର ସୌରଭ ଆଉ
ମହକି ଉଠୁନି ।
ବରଷକେ ଥରେ ସରକାର କରନ୍ତି
ବନ ମହୋତ୍ସବ
ରାତି ରାତି ଗଛ କାଟି ପକାନ୍ତି ସେ
ଧ୍ୱଂସମୁଖୀ ମାନବ ।
ବନିକରଣ, ନବିକରଣ
ଆସ ଆମେ କରିବା
ଅକାଳ ବୃଷ୍ଟି,ବାତ୍ୟା ଦୁର୍ଭିକ୍ଷ
ନିୟନ୍ତ୍ରଣେ ରଖିବା ।
ବୃକ୍ଷରୁ ଜଳ,ଜଳରୁ ଶସ୍ୟ
ଶସ୍ଯରୁ ଜୀବନ
ସତର୍କ ବାଣୀ ଏ ସକ୍ରେଟିସଙ୍କର
ଭୁଲିନି ଏ ମନ।
ଜଣ ଜାଗରଣ ହେଲେରେ ସାଙ୍ଗ
ହଟିବ ବିପଦ
ଅମୁଲ୍ୟ ସମ୍ପଦ ଗନ୍ତାଘର ଏଇ
ଅରଣ୍ୟ ସମ୍ପଦ ।
ଜନ୍ମରୁ ମରଣ ଯାଏଁ ସାଥି ଆମ
ସିଏ ମାଆ, ସିଏ ରାହା
ଅନ୍ତୁଡ଼ିଶାଳ ଓ ମଶାଣୀର ଜୁଇ
ସାକ୍ଷୀ ପୁଣି ହୋମ ନିଆଁ।
ସିଏ ଅଛି ବୋଲି ପାଣିପାଗ ଅଛି
ଖରା,ବର୍ଷା ଶୀତ, କାକର
ପ୍ରକୃତ କର୍ତ୍ତବ୍ୟ ନିଭାଏ ପ୍ରକୃତି
କରି ଜୀବଜଗତ ର ସଞ୍ଚାର
ଫାଇଲିନ, ଫୋନି କେହି ମାଡିବେନି
ଥିଲେ ବୃକ୍ଷ ଚଉପାଶେ
ଶିଥିଳ ପବନ ସାଥେ ଅମ୍ଳଜାନ
ବୃକ୍ଷ ହିଁ ଯାଚି ପରସେ ।