ମନ
ମନ
ପାଞ୍ଚ ଜ୍ଞାନେନ୍ଦ୍ରିୟ ଅଟେ ଚକ୍ଷୁ କର୍ଣ୍ଣ
ଜିହ୍ଵା ତ୍ଵଚା ଏବଂ ନାସା
କର୍ମେନ୍ଦ୍ରିୟ ପାଞ୍ଚ ଅଟେ ହସ୍ତ ପାଦ
ପାୟୁ ଉପସ୍ଥ ଓ ଭାଷା ।
ଚାରିଗୋଟି ଅନ୍ତରିନ୍ଦ୍ରିୟ ଅଟନ୍ତି
ବୁଦ୍ଧି ଗର୍ବ ଚିତ୍ତ ମନ
ବ୍ୟକ୍ତିର ଇନ୍ଦ୍ରିୟ ଏହିପରି ଭାବେ
ହୋଇଅଛି ବିଭାଜନ ।
ଏହି ଚତୁର୍ଦ୍ଦଶ ଇନ୍ଦ୍ରିୟ ମଧ୍ୟରେ
ରାଜା ପରା ଅଟେ ମନ
ମନକୁ ସଂଯମ କରିବା ବ୍ୟକ୍ତିଟି
କରେ ଅସାଧ୍ୟ ସାଧନ ।
ବାଟ ଓ ଅବାଟ ଭଲ ଅବା ମନ୍ଦ
ମନ ଦ୍ଵାରା ଜାଣିହୁଏ
ମନଟି ସୁଦୃଢ଼ ରହିଲେ କଦାପି
ଅବାଟେ ବ୍ୟକ୍ତି ନଯାଏ ।
କାମନା ବାସନା ବିଷୟ ଭୋଗରୁ
ମନ ଯଦି ରହେ ଦୂରେ
ସେତେବେଳେ ପରା ମନରେ ସ୍ଥିରତା
ଆସିଥାଏ ବ୍ୟକ୍ତି ଠାରେ ।
ଇନ୍ଦ୍ରିୟ ସର୍ବଦା ବ୍ୟକ୍ତିର ମନକୁ
କରିଥା'ନ୍ତି ବିଚଳିତ
ଅସ୍ଥିର ମନରେ କାମ କଲେ ବ୍ୟକ୍ତି
ହୁଏ କାର୍ଯ୍ୟେ ପରାଜିତ ।
କାର୍ଯ୍ୟରେ ବିଫଳ ହୁଅ ଯଦି କେବେ
ଦିଅ ନାହିଁ ଭାଙ୍ଗି ମନ
ସଫଳ ହୋଇବ ଦୃଢ଼ ମନେ କାର୍ଯ୍ୟେ
ଦେଲେ ପୁନର୍ବାର ଧ୍ୟାନ ।
ହାନି ପରେ ଲାଭ ଜନ୍ମ ପରେ ମୃତ୍ୟୁ
ଆସେ ଦିନ ପରେ ରାତି
ବିଫଳତା ପରେ ଆସେ ସଫଳତା
ସମୟର ଏହା ଗତି ।
ମନ ସ୍ଥିର ପାଇଁ ଯୋଗୀଋଷିଗଣ
କରିଥା'ନ୍ତି ପରା ଧ୍ୟାନ
ମନ ଏକ କରି ଧ୍ୟାନ ବଳେ ସିଏ
କରନ୍ତି ଦେବ ଦର୍ଶନ ।
ପଢ଼ାବେଳେ କେବେ ପାଠକ ପାଠିକା
ନଦିଅ ଅନ୍ୟତ୍ର ମନ
ବକ ପରି ସ୍ଥିର ମନେ ସଦା ତୁମେ
କର ବିଦ୍ୟା ଅଧ୍ୟୟନ ।