ମନ ଯାଉଥାଏ ପୋଡ଼ି
ମନ ଯାଉଥାଏ ପୋଡ଼ି
କଳ୍ପନା ରାଜ୍ୟରେ ସ୍ବପ୍ନ ବୁଣିଥିଲି
ମହଲ ଗଢିବା ପାଇଁ
ସଜବାଜ ହୋଇ ଭାବିବା ଆଗରୁ
ଭ୍ରମରେ ପଡିଲି ଯାଇ
ପଛରେ କାହାକୁ ପାଇ
ଅଚାନକ ଦେଖି ଚମକି ପଡ଼ିଲି
ଥିଲା ମାତ୍ର ମୋର ଛାଇ ।
ଏତେଦିନ ପରେ ଜୀବନ ମୋଡରେ
ହୋଇଥିଲା ଯିଏ ଠିଆ
ଜୀବନ ସାଥିର ସାନ୍ନିଧ୍ୟରେ ଭାବ
ହେଉଥିଲା ଦିଆନିଆ
ଥିଲା ବୋଧେ ତା'ର ପ୍ରିୟା
ଲାଜରେ ଝାଉଁଳି ଥରି ଉଠୁଥିଲା
ପୁରୁଷର ଦମ୍ଭ ହିଆ ।
ଚେତା ଫେରିପାଇ ଦେଖିଲା ବେଳକୁ
ଅସଜଡା ମୋର ଘର
ଆକାଂକ୍ଷାର ପକ୍ଷୀ ଉଡିଗଲା ଦୂରେ
ଛାଡିଦେଇ ଝଡାପର
କହିଗଲା କିଛି କର
ବନ୍ଧୁର ପଥରେ ଆଗେଇ ଯିବାକୁ
ନିଜକୁ ସମ୍ଭାଳି ଧର ।
ଯାହା କିଛି ଥିଲା ସଜାଡି ଚାଲିଲି
ଦୁର୍ଗମ ଥିଲା ମୋ' ବାଟ
ସିଏ ଚାଲିଥିଲା ସହଜେ ଆଗକୁ
ଦେଖାଇ ଆପଣା ଥାଟ
ପୁରୁଷ ବୋଲି ତା' ଆଣ୍ଟ
ସରଳ ସୁଗମ ପଥେ ବଢିଯାଏ
ପାରି ହୋଇ ନାନା ଘାଟ ।
ପୁନର୍ବାର ଥରେ ଭେଟ ହେଲା ଯହିଁ
ଏକା ଯାଉଥିଲି ଚଳି
ପୁରୁଣା କଥାକୁ ଘାଣ୍ଟି ଆଉଥରେ
ସବିନୟ କରେ ଅଳି
ରହିଥାନ୍ତି ରାଣୀ ଭଳି
ମୋର ହାତ ଧରି ଜୀଇଁଥାନ୍ତା କାଳେ
ସୁଖରେ ଏହାଠୁ ବଳି ।
ମନ ଗହୀରରେ ଓହ୍ଲାଇ ସେଦିନ
ହେଲି ପୁଣି ବିଚଳିତ
ଖାଲଢିପ କେତେ ଆଖି ସାମନାରେ
କରୁଥିଲା ଭୟଭୀତ
ଜୀବନର ହାରଜିତ
ନଥିଲେ କି ଥିଲେ କାହା ସହ କିଏ
ହୋଇଥାନ୍ତା କେଉଁ ହିତ !
କିଛିଦିନ ପରେ ଶୁଣିଲି ସେ' କାଳେ
ଲଢୁଛି ମରଣ ସଙ୍ଗେ
ଜୀବନ ଯାତ୍ରାରେ ବ୍ୟାଧିଗ୍ରସ୍ତ ସିଏ
ପରାହତ କେଉଁ ଅଙ୍ଗେ
ଅସ୍ଥିରତା କୂଳ ଲଙ୍ଘେ
ହସି ପାରିଲିନି କାନ୍ଦି ପାରିଲିନି
ଜୀଇଁ ନପାରଇ ଢଙ୍ଗେ ।
ପରିଶେଷେ ଯାଇ ଠିଆ ହୋଇଗଲି
ପରମପିତାଙ୍କ ଦ୍ବାରେ
ଅଭୀଷ୍ଟ ସାଧନେ ଭୋଗରାଗ ଦେଇ
ଅଦୃଷ୍ଟ ଭାବନା ଭାରେ
ମହାକାଳ ଯେବେ ହାରେ
ଭାବିବସେ କେଉଁ ସଂଯୋଗ ବଳରେ
ମାରୁ ମାରୁ ସିଏ ତାରେ ।
ବଦଳି ଯିବା ତ ସଂସାର ନିୟମ
ଜୀବନର ଗତି ଖର
ଖବର ନଥାଇ ତଥାପି ଜାଣିଛି
ନାହିଁ ଆଉ ପୂର୍ବ ଡର
ଭଲରେ ଚାଲିଛି ଘର
ଅଲଗା ଅଲଗା ବାଟ ତ ପଡିଛି
କିଏ ନିଜ କିଏ ପର ?
ଦୂର ଲକ୍ଷ୍ୟ ଯାଏଁ ଚାଲୁ ଚାଲୁ ବାଟ
ବାରମ୍ବାର ଯାଏ ମୋଡି
କଦବା କେଉଁଠି ନୂଆ ବାଟ ଆସି
ହୋଇ ଯାଉଥାଏ ଯୋଡ଼ି
ସହଯାତ୍ରୀଟିଏ ଲୋଡି
ମନୁପୁତ୍ର ଯେବେ ଛଳମୁଖା ସାଜେ
ମନ ଯାଉଥାଏ ପୋଡି ।