STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଜୀବନ ଯନ୍ତ୍ରଣା

ଜୀବନ ଯନ୍ତ୍ରଣା

1 min
200

 ମାଟିକୁ ମଲମ କରି ଲେପି ଦେଖ ଆକାଶ ଛାତିରେ

କେବଳ ଯେ କ୍ଷତରୁ ଝରେ ତା ନୁହେଁ ଆଖିରୁ ବି ରକ୍ତ ଧାର ଝରେ। 


ଜୀବନ ବି ଧଇଁ ସଇଁ ହୁଏ କିଛି ବାଟ ଧାଇଁ ଗଲା ପରେ

ବାକି ଥିବା ନିଶ୍ୱାସକୁ ଭିଡ଼ି ଧରି ରଖ ଯନ୍ତ୍ରଣାରେ ହଜିବା ଭିତରେ।


ସେଇ ଆର୍ତ୍ତନାଦ ଭିତରେ ହିଁ ରିଆଜ୍ କରେ ଜୀବନ 

କଣ୍ଠସ୍ୱର ସ୍ୱଚ୍ଛ ହୁଏ ଧୀରେ ଅନେକ ବାର ଚିତ୍କାର କରିବା ପରେ। 


ସୁଖ ଦୁଃଖ ଶୋକ କେବେ ସଂଜ୍ଞା ନୁହେଁ ଜୀବନଚର୍ଯ୍ୟାର

ମୂର୍ତ୍ତିଟିରେ ସ୍ମିତହାସ୍ୟ ଫୁଟେ ନିହାଣର ତୀକ୍ଷ୍ଣ ଘାତ ପରେ। 


ପ୍ରାପ୍ତି ଓ ଶାନ୍ତି କେବେ ସାଜି ନଥାନ୍ତି ବନ୍ଧୁ ପରସ୍ପରର 

ସନ୍ତୁଷ୍ଟି ସେଇଠି ଥାଏ ପର୍ଯ୍ୟାପ୍ତର ପରିମାଣ ଶୂନ୍ୟ ହେବା ପରେ। 


ଦୈହିକ ବେଦନାଠାରୁ ଢେର୍ ବାଧେ ମାନସ କଷଣ 

ଅପେକ୍ଷାର ପରାଭବ ହୁଏ ଉପେକ୍ଷାର ଆବିଷ୍କାର ପରେ। 


ମୃତ୍ୟୁ କେବେ ଠିକଣା ସାଜେନା ମୁହୁର୍ମୁହୁ ଯନ୍ତ୍ରଣା ନିମନ୍ତେ

ପ୍ରାଣଟିଏ ପଲ୍ଲବିତ ହୁଏ ଧୈର୍ଯ୍ୟର ଜଳଧି ସେପାରେ। 


ଜୀବନ ଯନ୍ତ୍ରଣା ନୁହେଁ କିନ୍ତୁ ଯନ୍ତ୍ରଣାରେ ଜୀବନ ବିକଶେ

ବଞ୍ଚିବାର ରାହା ଯାଏ ମିଳି ଲକ୍ଷ ସ୍ଥିର ହୋଇଗଲା ପରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract