କବି ହେ ଲେଖ ଜୀବନ ଗାଥା
କବି ହେ ଲେଖ ଜୀବନ ଗାଥା
ନାରୀର ସୌନ୍ଦର୍ଯ୍ୟ ମାଧୁରୀ ବର୍ଣ୍ଣନା
ତ ହୁଏ କବିତାରେ
ନାରୀକୁ ସର୍ବସଂହା କହି, ଅସହୟା
ବନାଅ କବିତାରେ |୧|
ଆମେ ଶିଖେଇଛେ ନିଜେ ଜଳି ଜଳି
ଅନ୍ୟକୁ ଶାନ୍ତି ଦେବା
ନିଜେ ସବୁ ସହି ଅନ୍ୟକୁ ସୁଖ ଦେବା
ଓ ହସ ଫୁଟାଇବା |୨|
ନାରୀଟିଏ, ଧନ୍ୟ ସିଏ, ଜନମ ନିଏ
ଏଇ ସଂସାରରେ,
ନିଜ ପାଇଁ ବଞ୍ଚେନି କେବଳ, ଅନ୍ୟ
ପାଇଁ କାମ କରେ |୩|
ଧାରଣ କରି ଜନନୀ, ଭଗିନୀ, କନ୍ୟା
ଓ ଜାୟା ରୂପକୁ
ଉତ୍ସର୍ଗ କରି ଆସିଛି ଏ ସଂଜ୍ଞା ନେଇ ସବୁ
ଦେଇ ଅନ୍ୟକୁ |୪|
ରାଧାଙ୍କ ଲୁହରେ ଗୋପାଙ୍ଗନା କାନ୍ଦୁ
ଥିଲେ ଯେତେବେଳେ
ପାଶୋରି ସ୍ନେହ ମମତା ରହି ନଥିଲେ
କି ରୁକ୍ମୁଣୀଙ୍କ କୋଳେ |୫|
ମନରେ ନାରୀର ତାଜମହଲ ତୋଳି,
ଦଗା ଦିଅ ତାକୁ
ଦିଅ ଅନେକ ଯାତନା, ଲାଜ ନାହିଁ
ସେଇ ହୀନ ବିଚାରକୁ |୬|
ରାମାୟଣରେ ଦୋଷ ଦେଇ ନଥିଲ
କି ସୀତା ମାତାଙ୍କୁ
ମହାଭାରତରେ ହରଣ କରା ହୋଇ
ନଥିଲା କି ରୁକ୍ମୁଣୀଙ୍କୁ |୭|
ଦ୍ରୌପଦୀର ବସ୍ତ୍ର ହରଣ ହୋଇ ନଥିଲା
କି ରାଜସଭାରେ
ନାରୀ ଉପରେ ଅତ୍ୟାଚାର ଚାଲିଛି ପୁରୁଷ
ପ୍ରାଧାନ୍ୟ ସମାଜରେ |୮|
ଅନେକ ନାରୀ ଆତ୍ମହତ୍ୟା କରନ୍ତି,
ହେଉଛେ କି କେହି ସାହା
ଯିଏ ବସ୍ତ୍ରରେ ଦ୍ରୌପଦୀ ଉଦ୍ଧାରି ଥିଲେ,
କରୁ ତ ନାହାଁନ୍ତି ଆହା |୯|
ଆମେ ତିଳକ କାଟୁଛେ, ମାଳା ଗଡାଉଛେ,
ପଥର ପୂଜୁଛେ
ବିରାଡ଼ି ବୈଷ୍ଣବ ରୂପ ନେଇ, ସୁନ୍ଦର ପ୍ରେମର
ସଂଜ୍ଞାକୁ ଭୁଲିଛେ |୧୦|
କେତେ ଦିନ ଧରମ ନାମେ ଅଧର୍ମ ଆଚରି
ସଂସ୍କାରକୁ ପାଶୋରିବା
ଯେ ଡାଳେ ବସୁଛେ ସେ ଡାଳ କାଟି ଆଖି
ଥାଇ ଅନ୍ଧ ହେବା |୧୧|
ସମୟ ଆସିଛି, ଆଗକୁ ଆଗେଇବାର
ପଥ ବାଛିବାକୁ
ଛାଡିବାନି ଆଉ ନାରୀକୁ ଖାଲି ସଂସାର
ନିଆଁରେ ଜଳିବାକୁ |୧୨|
କବି ହେ, ଲେଖୁଛ କବିତା, ଗାଅ ତାର
ଜୀବନ ଗାଥା
କବିତାରେ ଗୋଟାଅ ନାରୀ ଜୀବନର
ଦୁଃଖ ଆତ୍ମକଥା |୧୩|
ପାରୁଛ ଯଦି ସ୍ପଷ୍ଟ ଲେଖ, ପୁରୁଷକୈନ୍ଦ୍ରିକ
ଅତ୍ୟାଚାରକୁ
ବେଦନାର ଗାଥା ଜଣାଅ ସୁନ୍ଦର ପୃଥିବୀ
ସୃଷ୍ଟି କରିବାକୁ |୧୪|
