STORYMIRROR

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

କବି ହେ ଲେଖ ଜୀବନ ଗାଥା

କବି ହେ ଲେଖ ଜୀବନ ଗାଥା

1 min
177


ନାରୀର ସୌନ୍ଦର୍ଯ୍ୟ ମାଧୁରୀ ବର୍ଣ୍ଣନା 

ତ ହୁଏ କବିତାରେ 

ନାରୀକୁ ସର୍ବସଂହା କହି, ଅସହୟା 

ବନାଅ କବିତାରେ |୧|


ଆମେ ଶିଖେଇଛେ ନିଜେ ଜଳି ଜଳି 

ଅନ୍ୟକୁ ଶାନ୍ତି ଦେବା 

ନିଜେ ସବୁ ସହି ଅନ୍ୟକୁ ସୁଖ ଦେବା 

ଓ ହସ ଫୁଟାଇବା |୨|


ନାରୀଟିଏ, ଧନ୍ୟ ସିଏ, ଜନମ ନିଏ 

ଏଇ ସଂସାରରେ,

ନିଜ ପାଇଁ ବଞ୍ଚେନି କେବଳ, ଅନ୍ୟ 

ପାଇଁ କାମ କରେ |୩|


ଧାରଣ କରି ଜନନୀ, ଭଗିନୀ, କନ୍ୟା 

ଓ ଜାୟା ରୂପକୁ

ଉତ୍ସର୍ଗ କରି ଆସିଛି ଏ ସଂଜ୍ଞା ନେଇ ସବୁ 

ଦେଇ ଅନ୍ୟକୁ |୪|


ରାଧାଙ୍କ ଲୁହରେ ଗୋପାଙ୍ଗନା କାନ୍ଦୁ

ଥିଲେ ଯେତେବେଳେ  

ପାଶୋରି ସ୍ନେହ ମମତା ରହି ନଥିଲେ 

କି ରୁକ୍ମୁଣୀଙ୍କ କୋଳେ |୫|


ମନରେ ନାରୀର ତାଜମହଲ ତୋଳି, 

ଦଗା ଦିଅ ତାକୁ

ଦିଅ ଅନେକ ଯାତନା, ଲାଜ ନାହିଁ 

ସେଇ ହୀନ ବିଚାରକୁ |୬|


ରାମାୟଣରେ ଦୋଷ ଦେଇ ନଥିଲ 

କି ସୀତା ମାତାଙ୍କୁ

ମହାଭାରତରେ ହରଣ କରା ହୋଇ 

ନଥିଲା କି ରୁକ୍ମୁଣୀଙ୍କୁ |୭|


ଦ୍ରୌପଦୀର ବସ୍ତ୍ର ହରଣ ହୋଇ ନଥିଲା 

କି ରାଜସଭାରେ

ନାରୀ ଉପରେ ଅତ୍ୟାଚାର ଚାଲିଛି ପୁରୁଷ 

ପ୍ରାଧାନ୍ୟ ସମାଜରେ |୮|


ଅନେକ ନାରୀ ଆତ୍ମହତ୍ୟା କରନ୍ତି, 

ହେଉଛେ କି କେହି ସାହା

ଯିଏ ବସ୍ତ୍ରରେ ଦ୍ରୌପଦୀ ଉଦ୍ଧାରି ଥିଲେ, 

କରୁ ତ ନାହାଁନ୍ତି ଆହା |୯|


ଆମେ ତିଳକ କାଟୁଛେ, ମାଳା ଗଡାଉଛେ, 

ପଥର ପୂଜୁଛେ

ବିରାଡ଼ି ବୈଷ୍ଣବ ରୂପ ନେଇ, ସୁନ୍ଦର ପ୍ରେମର 

ସଂଜ୍ଞାକୁ ଭୁଲିଛେ |୧୦|


କେତେ ଦିନ ଧରମ ନାମେ ଅଧର୍ମ ଆଚରି 

ସଂସ୍କାରକୁ ପାଶୋରିବା

ଯେ ଡାଳେ ବସୁଛେ ସେ ଡାଳ କାଟି ଆଖି 

ଥାଇ ଅନ୍ଧ ହେବା |୧୧|


ସମୟ ଆସିଛି, ଆଗକୁ ଆଗେଇବାର 

ପଥ ବାଛିବାକୁ

ଛାଡିବାନି ଆଉ ନାରୀକୁ ଖାଲି ସଂସାର 

ନିଆଁରେ ଜଳିବାକୁ |୧୨|


କବି ହେ, ଲେଖୁଛ କବିତା, ଗାଅ ତାର 

ଜୀବନ ଗାଥା

କବିତାରେ ଗୋଟାଅ ନାରୀ ଜୀବନର 

ଦୁଃଖ ଆତ୍ମକଥା |୧୩|

 

ପାରୁଛ ଯଦି ସ୍ପଷ୍ଟ ଲେଖ, ପୁରୁଷକୈନ୍ଦ୍ରିକ 

ଅତ୍ୟାଚାରକୁ

ବେଦନାର ଗାଥା ଜଣାଅ ସୁନ୍ଦର ପୃଥିବୀ 

ସୃଷ୍ଟି କରିବାକୁ |୧୪|


Rate this content
Log in

Similar oriya poem from Abstract