ମନ କଥା
ମନ କଥା
ଚିନ୍ତା ଚେତନାରେ ଚିନ୍ତା କରେ ମୁହିଁ
ଲଭେ ମୁଁ ଶହେ ଜନମ
ସବୁ ଜନମରେ ତୁମ ପାଇଁ ପୂଜା
ହେଉ ମୋ ପରମ ଧର୍ମ ।
ତୁମ ନାମେ ଥିବ ସୁହାଗ ସିନ୍ଦୂର
ମୋ ସୁନ୍ଥାକୁ କରି ରଙ୍ଗା
ହାତେ କାଚ ଚୁଡି ରୁଣୁ ଝୁଣୁ ବାଜି
ଦର୍ଶାଉ ଥିବ ସୁହାଗା ।
ତୁମ ପ୍ରୀତି ହେଉ ମୋ ତନୁ ମନର
ପାରିଜାତ ପୁଷ୍ପ ପରି
ଶେଯ ସୁପାତି ମୋ ସୁବାସ ବାସ୍ନାରେ
ସୁଖ ଦେଉ ଥିବ ଭରି ।
କଜ୍ଜଳ ଅଞ୍ଜନ କରିବି ଲେପନ
ଦିଶୁ ଥିବ ତୁମ ଛବି
ଏପରି ଜନମ ଶତ ବାର ହେଉ
ଦିବା ନିଶି ହୁଏ ଭାବି ।
ତୁମ ଅର୍ଦ୍ଧାଙ୍ଗିନୀ ପ୍ରୀତି ସୁହାଗିନୀ
ଏତିକି ମୋ ଉପହାର
ସୁନା ଚାନ୍ଦି ମୋତି ଲୋଡା ନାହିଁ ମୋର
ତୁମେ ମୋ ହୃଦୟ ହାର ।
ଜୋଛନା ପରଶ ପ୍ରୟୋଜନ ନାହିଁ
ତୁମେ ଥିଲେ ମୋର ପାଶେ
ମଧୁର ବଚନେ ମନକୁ ତୋଷିବ
ଦେଇ ମୋତେ ପ୍ରେମ ପୋଷେ ।

